(ବନମାଳୀ— ପହପଟ)
କି ହେବ ଶୁଆ ପୋଷିଲେ
ହରି ନାମ ନ ଘୋଷିଲେ କୃଷ୍ଣ ନାମ ନ ଘୋଷିଲେ । ଘୋଷା ।
ଦେଉଳକୁ ଶୋଭା ଦିଶେ ଧ୍ୱଜା ବାନ୍ଧିଲେ
ଧ୍ୱଜା ବାନ୍ଧିଲେ କି ହେବ ଦେଉଳେ ଦିଅଁ ନ ଥିଲେ । ୧ ।
ବୃକ୍ଷକୁ ଯେ ଶୋଭା ଦିଶେ ଫଳ ଫଳିଲେ
ଫଳ ଫଳିଲେ କି ହେବ ଜନ ମୁଖେ ନ ପଡ଼ିଲେ । ୨ ।
ପିଣ୍ଡକୁ କାରଣ ଅଟେ ମାଳା ଜପିଲେ
ମାଳା ଜପିଲେ କି ହେବ ପରମାତ୍ମା ନ ଚିହ୍ନିଲେ । ୩ ।
ଘରକୁ ସୁନ୍ଦର ଦିଶେ ବାଳକ ଥିଲେ
ବାଳକ ଥିଲେ କି ହେବ ବିଦ୍ୟା ଶିକ୍ଷା ନ କରିଲେ । ୪ ।
ପୁଷ୍କରଣୀ ଶୋଭା ଦିଶେ ପଦ୍ମ ଫୁଟିଲେ
ପଦ୍ମ ଫୁଟିଲେ କି ହେବ ଭ୍ରମର ତା ନ ଚୁମ୍ବିଲେ । ୫ ।
ଗୀତେ କହେ ବନମାଳୀ ପଦ ବସିଲେ
ପଦ ବସିଲେ କି ହେବ ଗୁରୁ ସେବା ନ କରିଲେ । ୬ ।