Ki Hela Re

କି ହେଲା ରେ
(Kabisurjya— Raga Saberi, Tala Tripata)
(କବିସୂର୍ଯ୍ୟ— ରାଗ ସାବେରୀ, ତାଳ ତ୍ରିପଟା)

Ka Patala — Kisorachandrananda Champu
କ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

କି ହେଲା ରେ କହିତ ନୁହଇ ଭାରତୀରେ
କାଲି ଯା ଦୂରରୁ ଦେଖି କଳନା କଲା ମୋ ଆଖି
କଳା ଇନ୍ଦୀବର ଆରତିରେ । ଘୋଷା ।

କେଳି କଦମ୍ବ ଲତାର କୋଳେ କି ଶ୍ୟାମଳତାର
ତେଜ ସେ ରବିସୁତାର ତୀରେ
କମ୍ପି ମୋର କଳେବର ହୋଇଗଲା ଆରପାର
ଯାହାକୁ ଡରଇ ତାର ତୀରେ । ୧ ।

କୁସୁମ କୋଦଣ୍ଡ କାଣ୍ଡ କେତେ କରିଥିଲା ରୁଣ୍ଡ
କର୍କଶ ନୋହିବା ଭାରତୀରେ
କହୁଛି ବରଜି ଲଜ୍ଜା କେବଳ ହେଲା ମୋ ମଜ୍ଜା
ମଜ୍ଜିଯିବି କି ଉଭା ରତିରେ । ୨ ।

କି ମୋହନ ଲୀଲା ଧରି କୋଟି କଳାକର ଶିରୀ
ପୂରିଛି ସେ ଶ୍ୟାମ ମୂରତିରେ
କୁତ୍ସା କରେ ମୁଁ ଧାତାକୁ କାହିଁକି ସରଜି ତାକୁ
ଚିରାୟୁ ରଖିଲା ଜରତୀରେ । ୩ ।

କି ନୀତି କି ଜାତିଶୀଳ କି କୁଳବରତ ଫଳ
ଠଉର ପାରିଲା ମୋ ମତିରେ
କୋମଳତର ମୋହନ କୁଞ୍ଜକୁକ୍ଷିରୁ ନିଃସ୍ୱନ
ଆସି ଚୁମ୍ବିଦେଲା ମୋ ଶ୍ରୁତିରେ । ୪ ।

କଲବଲ ଛଟପଟ ହୋଇ ଯାଉଛି ନିପଟ
ସଂବେଶ ଅଶନ ବିରତିରେ
କହଇ ଶ୍ରୀ ବାଲୁକେଶ ଶରଣ ଧରଣୀଈଶ
ଏ କି ଦଣ୍ଡ ବିନା ପୀରତିରେ । ୫ ।