(କବିଚନ୍ଦ୍ର କାଳୀଚରଣ— ରାଗ କାଫି, ତାଳ ଏକତାଳି)
କି କଲୁ ନାଗରୀ ହୀରା
ପରଶମଣିରେ ପଥର ମଣି ଯା
ଫିଙ୍ଗି ଦେଲୁ ପର ପରା । ଘୋଷା ।
ଗରୁ ଯଉବନ ଗୁରୁ ମଣି ଧନ
ଗୁମାନେ ଫୁଲାଇ ମୁଖ
ଧରୁଁ କର ତୋର ଦୂରେ ଠେଲିବାର
ବରିନେଲା ସିନା ଦୁଃଖ
ଅନୁଦିନ ଅନୁତାପ ତାପ ସହି
ସାର ଆଖି ନୀରଝରା । ୧ ।
ଫଟା ଦରପଣ ଫିଟା ତୁଟା ମନ
ଗୋଟା କି ହେବ ସୁମନା
ସାଉଁଟିଲା କାଣ୍ଡ ଯେତେ କଲେ ରୁଣ୍ଡ
ଯୁଦ୍ଧକୁ ହୁଏ କି ଗଣା
ତାଳିପକା ଶାଢ଼ୀ ପେଡ଼ି ସାଇତାରେ
ନୂଆ ହୋଇବ କି ଧୀରା । ୨ ।
କବିଚନ୍ଦ୍ର କହେ ଲିଭିଲା ଦୀପରେ
ଯେତେ ପଛେ ଘିଅ ଢାଳ
ଗଢ଼ା ଦେଉଳକୁ ଭାଙ୍ଗିବାକୁ ଲୋଡ଼ା
ଆଖି ପିଛୁଳାକ କାଳ
ଯାଚିଦେଲା ଧନ ନ କଲୁ ଯତନ
ଝୁରି ଏବେ ହୁଅ ସାରା । ୩ ।