(ବନମାଳୀ— ରାଗ ସାବେରୀ, ତାଳ ଏକତାଳି)
କି ରଙ୍ଗେ ଚାହିଁଲା ଲୋ ଛଇଳ
ନବଘନ କାଳିଆ । ଘୋଷା ।
ଯାଇଥିଲି ନୀର ଆଣି ନୀପମୂଳେ ବେଣୁପାଣି
କି ମନ୍ତ୍ର କରି ମନ ମୋହିଲା ଲୋ । ୧ ।
ଯାଇଥିଲି ଯମୁନାକୁ କଦମ୍ବ ମୂଳେ ତାହାକୁ
ଦେଖି ମୋ ଆଖି ଲାଖି ରହିଲା ଲୋ । ୨ ।
ଯାଇଥିଲି ମୁହିଁ ଏକା ଯାହା କଲା ଗିରିଟେକା
ତାହା ତ ବଚନେ କହି ନୋହିଲା ଲୋ । ୩ ।
କୋଟି କଳାକର ଶିରୀ କୋଟି ସ୍ମର ନୋହେ ସରି
କି ଯତ୍ନେ ବିହି ତାକୁ ଲିହିଲା ଲୋ । ୪ ।
ଭଲା ତା ନେତ୍ର କଟାରୀ ଶାଣଦିଆ ତରବାରୀ
ମରମେ ମୋର ଲାଖି ରହିଲା ଲୋ । ୫ ।
ମୋର ପତିବ୍ରତ ଆଣି ଭାଙ୍ଗିଦେଲା ସେହି ପୁଣି
ଧଇର୍ଯ୍ୟବନ୍ଧ ମୋ ନ ରହିଲା ଲୋ । ୬ ।
କହଇ ଯା ବନମାଳୀ ଏ ରସରେ ଭାଳି ଭାଳି
ଆଉ ଯା ଥରେ ଭେଟ ନୋହିଲା ଲୋ । ୭ ।