(ବନମାଳୀ— ରାଗ ସଉରୀ, ତାଳ ଖେମଟା)
କି ରସରେ ରସିକା ରତନ ରସାଇଲା ରେ
ରସାଇଲା ମନ ତୋଷାଇଲା ରେ । ଘୋଷା ।
କର ଧରି ବସନ୍ତେ ଉରେ
ଏ କି କଥା ଭାଷି ମଧୁରେ ସେ କି ତରତରେ
ଖସି ବସୁଁ ତଳେ ଝୁଣ୍ଟିଆ ସେ କାଳେ
କାମ ନିଶାଣ କି ଘୋଷାଇଲା ରେ । ୧ ।
ଗଣ୍ଡେ ଚୁମ୍ବ ବିହିବା କାଳେ
ମୁଖ ଏଡ଼ି ନେଲା ସେ ବେଳେ କି ବିଡ଼ିବା ଛଳେ
ନୟନ ପ୍ରାନ୍ତରେ ଠାରି ଅଳପରେ
ନେତ୍ର ଡଗରା କି ପେଷାଇଲା ରେ । ୨ ।
ଉଚ୍ଚ କୁଚେ ପଡ଼ନ୍ତେ ହାତ
ଗୋରୀ ହେଲା ଅଣଆୟତ୍ତ ସେ ଇଚ୍ଛି ସୁରତ
ଜବା ଅଧରରୁ ପୀୟୂଷ ବରଷି
ମୋ ହୃଦ ରାଜ୍ୟକୁ ଭସାଇଲା ରେ । ୩ ।
ବିପରୀତେ ମଜ୍ଜାଇ ମତି
ସୁଖେ ଦେଲା ପୁହାଇ ରାତି ରେ ନବ ଯୁବତୀ
ବନମାଳୀ ବୋଲେ ଯୁବା ଜନ କୁଳେ
ଇନ୍ଦ୍ରପଦେ ନେଇ ବସାଇଲା ରେ । ୪ ।