(ଗୋପାଳକୃଷ୍ଣ— ରାଗ କୀରବାଣୀ, ତାଳ ଖେମଟା)
କି ଶୁଣିଲି ଆଜ ନୂଆ କରି
ସତଟିକି କହ ସହଚରୀ
ତୁ ପୁଣି କିଶୋରମଣିକି ବିଲୋକି
ମଥା ପୋତି ଗଲୁ ଅପସରି । ଘୋଷା ।
ସ୍ମରଣା କରୁଛି ଅଦୃଷ୍ଟକୁ
ଯାହା ମୂରତିକି ଦେଖିବାକୁ
ଯୋଡ଼ିଏ ନୟନ ଦେଲୁ ବୋଲି ଯେତେ
ନିନ୍ଦା କରୁଥାଉ ବିଧାତାକୁ । ୧ ।
କ୍ଷଣେ ନ ମୂରୁଛି ଚିତ୍ରପଟ
ବନକୁ ଯିବା ଆସିବା ବାଟ
ଜଗି ବସିଥାଉ ଶିଖଣ୍ଡମୁକୁଟ
ଭେଟକୁ କେ କଲା ଏଡ଼େ କୂଟ । ୨ ।
ନିରେଖି ନଭରେ ନୀରଦକୁ
ପୁଲକାଇ ଦେଇ ଶ୍ରୀଅଙ୍ଗକୁ
ଯା ତନୁକାନ୍ତିକି ଲକ୍ଷ ବୋଲ ପକ୍ଷ
ଲୋଡ଼ୁଥାଇ ପରିରମ୍ଭଣକୁ । ୩ ।
ଗୋବର୍ଦ୍ଧନ ଶିଖରୀରେ ରହି
ଗୋଷ୍ଠେନ୍ଦ୍ରସୁତ ପଥକୁ ଚାହିଁ
ଦିନ ଦ୍ୱିଯାମରେ ଦ୍ୟୁମଣି ଶିଳାରେ
ଉଭା ହେବା ଲୋଭ ଗଲା କାହିଁ । ୪ ।
ଭାଷନ୍ତି ଶ୍ରୀମତୀ ହସି ଧୀରେ
ଗୁରୁଜନେ ଥିଲେ ପୁରତରେ
ଗୋପାଳକୃଷ୍ଣ କହିଲା ଠାରି କୃଷ୍ଣ
ଜଗିଛନ୍ତି ପୁଷ୍ପ ବାଟିକାରେ । ୫ ।