Krusnanku Besa Kari Sudama Mali

କୃଷ୍ଣଙ୍କୁ ବେଶ କରି ସୁଦାମା ମାଳୀ
(Bhaktacharana— Raga Kalahansa Kedara, Tala Khemata)
(ଭକ୍ତଚରଣ— ରାଗ କଳହଂସ କେଦାର, ତାଳ ଖେମଟା)

କୃଷ୍ଣଙ୍କୁ ବେଶ କରି ସୁଦାମା ମାଳୀ
ଚୂଳେ ଖଞ୍ଜିଲା ନେଇ କେତକୀ କଳି ଯେ ।୧।
ଆସେ କି କେଶରାହୁ ରସନା ଚାଳି
ମୁଖ ଚନ୍ଦ୍ରଙ୍କୁ ଅବା ଦେବ ସେ ଗିଳି ଯେ ।୨।
ବେଢ଼ାଇ ଦେଲା ନବ ବକୁଳ ଦାମ
ଶୋଭାକୁ ଶକ୍ର ଚାପ ନୋହିବ ସମ ଯେ ।୩।
ଭୁଜଙ୍ଗଭୁକ ପୁଚ୍ଛ ତଥି ଉପରେ
କୋଟି ଚନ୍ଦ୍ରିକା ସମ ନୋହିବେ ତାରେ ଯେ ।୪।
ରଙ୍ଗ କୁସୁମ ବେଣୀ ପଛକୁ ପଡ଼ି
ଯମୁନା ଜଳେ ରକ୍ତ କୁମୁଦ ଧାଡ଼ି ଯେ ।୫।
ସେହି ପ୍ରକାରେ ଦିଶୁଅଛି ଶୋଭନ
ପୁଣି ଗଳାରେ ମାଳା ଜାତି କୁସୁମ ଯେ ।୬।
ଅତି ସୁସଞ୍ଚ ଦିଶେ ଉର ଲିପନ
ହେରି ରମ୍ଭା ତେଜିବ ସ୍ଵର୍ଗ ଭୁବନ ଯେ ।୭।