(ଗୋପାଳକୃଷ୍ଣ— ରାଗ ଶଙ୍କରାଭରଣ, ତାଳ ରୂପକ)
କୁଞ୍ଜ ବନରେ କାଳିଆ ଦେବତା ବୁଲୁଛି । ଘୋଷା ।
କୁସୁମ ତୋଳିଲା ପରି ନୁହଇଟି ଶ୍ରୀ କିଶୋରୀ
ଦେଖିଦେଲେ ତୋ ମାଧୁରୀ ଘେନିଯିବ କୋଳ କରି
ମୋତେ ଜଳଜଳ ଦିଶୁଛି । ୧ ।
କେ କହେ ଦଳିତାଞ୍ଜନ କେ ବୋଲୁଛି ନବଘନ
କାନ୍ତି ପୁଣି ସାବଧାନ ହୋଇଥା ସେ ଗୋବର୍ଦ୍ଧନ
ମଲ୍ଲ ଗୃହିଣୀକି ଲାଗିଛି । ୨ ।
ଅଙ୍ଗେ ସବୁ ଅଳଙ୍କାର ସଦା ଲାଗିରେ ଥିବାର
ଶିରେ ଚୂଳ ଶିଖଣ୍ଡର କୋଟିଏ ସ୍ମର ସୁନ୍ଦର
ରୂପ ବୋଲି ଶୁଣାଯାଉଛି । ୩ ।
ଥାଉ ସ୍ୱଚ୍ଛେ ଦେଖିବାର ପ୍ରସଙ୍ଗ ଶୁଣିଲେ ଯାର
ନୟନୁ ବହୁଛି ନୀର ଅଥିର ହୋଇ ଶରୀର
ପୁଲକରେ ପୂରିଯାଉଛି । ୪ ।
ଲତା ଗୃହକୁ ଯାଅନା କଞ୍ଜ କସ୍ତୁରୀ ବାସନା
ଚହଟୁଛିଟି ସୁମନା ଶୁଭାଇ କଥା କହନା
ହେଟି ଭୂଷା ସ୍ୱନ ଶୁଭୁଛି । ୫ ।
କାନ୍ତିକୁଳ ଅଧୀଶ୍ୱରୀ ଭାରିଯିବେ ସହଚରୀ
ତୋଳିବୁ ଗୁଞ୍ଜ ଆଉରି ଜାଲରେ କୁରଙ୍ଗୀ ପରି
ପଡ଼ିଯିବୁ ପରା ଦିଶୁଛି । ୫ ।
ରାଧା ବୋଲନ୍ତି ଆଳୀଙ୍କି ଆଗେ ହେଲେ କହିଲୁ କି
କେ ସେ ପୁଣି ତ ଏଣିକି ଆସୁଛି ମୋ ସରଣୀକି
ଗୋପାଳକୃଷ୍ଣ ତ କହୁଛି । ୬ ।