(ବେଣୁଧର— ରାଗ ଆହାରୀ, ତାଳ ଯତି)
ଲଳିତ ନଟବର ମୂରତିକି
ନିରେଖି ହଜାଇ ହେଲା ଧୃତିକି ରେ
କି ଶୋଭା କୋଟି ସ୍ମର ଗର୍ବହରା ଶରୀର
ଉଜାଡ଼ି ଦେବ ସତୀ ଧୃତିକି ରେ । ଘୋଷା ।
ଲପନେ ସ୍ମିତ୍ତ ହାସ ଛଣା ସୁଧା ବିକାଶ
ନେତ୍ରାନ୍ତ ଖେଳା ନେବ ଜାତିକି ରେ
ହେଉ ପଛକେ ପତିବରତୀ କୁଳବତୀ
ତା ପ୍ରେମେ ନ ଯିବ କେ ମାତିକି ରେ । ୧ ।
ଗେଲବସର ଚାଲି କି ରଙ୍ଗେ ଝୁଲି ଝୁଲି
ଆସନ୍ତି ଫୁଲାଇଣ ମତିକି ରେ
ଉପମା ସୃଷ୍ଟି ସାର ଏ ସଂସାର ବାହାର
ବାସବ ନୀଳମଣି ଦ୍ୟୁତିକି ରେ । ୨ ।
ଭ୍ରୂଲତା ଭଙ୍ଗୀ ଛଟା ଚାହିଁ କେ ସୁନ୍ଦରୀଟା
ନ ଦଉଡ଼ିବ ତାଙ୍କ କତିକି ରେ
ସ୍ୱପନେ ହେଲେ ସହି ରୂପ ନ ଦେଖି କେହି
ନାରୀ ପାରିବ କାହିଁ ବର୍ତ୍ତି କି ରେ । ୩ ।
ନ ଲୋଡ଼ିବ କେ ଶ୍ୟାମ ବାହୁଭିଡ଼ା କରମ
ବାତୁଳୀ ହୋଇ ଦିନ ରାତିକି ରେ
କହଇ ବେଣୁଧର ମିଛ ନୁହେଁ ଏ ଗିର
ତାଙ୍କ ବିନା ଅଛି କେ ଗତି କି ରେ । ୪ ।