(ଗୋପାଳକୃଷ୍ଣ— ରାଗ ନାଦରାମକେରୀ, ତାଳ ଏକତାଳି)
ମହାଭାବ ରୂପ ଭାବରେ ମାନସ
ଯାହା ସଙ୍ଗେ ଶୁଚି ରସ ରହିଛନ୍ତି
ସଦା ବହି ଅବୟବରେ । ଘୋଷା ।
ସନକ ସନନ୍ଦନ ସନତ୍କୁମାର
ସନ ବସି ରହସ୍ୟରେ
ବ୍ରହ୍ମାନନ୍ଦ ସୁଖ ବରଜି ମଜ୍ଜିଲେ
ଯା ଲୀଳା ରସ କଥାରେ । ୧ ।
ଯା ସୁଷମା ଗଣ ଗୁଣି ଗୁଣି ଗୀତ
କରି ଗାଉ ନାରଦ ବୀଣାରେ
କଳେବର ପୁଷ୍ଟ ହୋଇ ଉପବୀତ
ଛିନ୍ନ ହେଉଅଛି ଶ୍ରଦ୍ଧାରେ । ୨ ।
ବ୍ରଜ ଜନଙ୍କର କୋଟିଏ ଜନ୍ମର
ପୁଣ୍ୟ ବିଟପିର ଫଳ
ନିକୁଞ୍ଜ ଶେଯରେ ବିଜେ କରିବାର
ବେଢ଼ାରେ ଆଳୀ ମଣ୍ଡଳ । ୩ ।
ସ୍ୱାମିନୀ ଶରଣ ହେଲି ମୁଁ ବୋଲି ଯେ
ବୋଲୁଛି ଥରେ ଜୁହାରି
ବ୍ରଜେନ୍ଦ୍ର ଲାକ୍ଷା ଲେଖିବା ପଦେ ସଦା
ହୋଇ ରହୁଛି କିଙ୍କରୀ । ୪ ।
ଗୋଷ୍ଠେନ୍ଦ୍ର ନନ୍ଦନ ସେବା ସୌଭାଗ୍ୟ
ତୋ ଲଭିବାକୁ ଯଦି ଆଶା
ଗୋପାଳକୃଷ୍ଣ କହଇ ଶ୍ରୀ ରାଧିକା
ପଦେ ରହି ଅହନିଶା । ୫ ।