(ଉପେନ୍ଦ୍ର ଭଞ୍ଜ— ରାଗ ନଟନାରାୟଣ, ତାଳ ଯତି)
ମଲ୍ଲୀ ମାଳ ଶ୍ୟାମକୁ ଦେବି ମନ ତୋଷିବି
ଗ୍ରୀଷମ ହୋଇଲେ ବାସ ଚନ୍ଦନ ମୁଁ ଲେପିବି । ଘୋଷା ।
ତା ଅଙ୍ଗରୁ ସ୍ୱେଦ ବାରି ଯେବେ ପଡ଼ୁଥିବ ଝରି
ମୋ ଦୃଷ୍ଟି ପଡ଼ନ୍ତେ କାନି ପଣନ୍ତରେ ପୋଛିବି । ୧ ।
ତାଙ୍କୁ କରି ଗଳାହାର ସେବିବି ତାଙ୍କ ପୟର
ସେ ଯେବେ ହୋଇବେ ବର ହରପୂଜା କରିବି । ୨ ।
ସେ ଯେବେ କରିବେ ମାନ ଭାଙ୍ଗି ଭୁଞ୍ଜାଇବି ପାନ
ଗଣ୍ଡେ ଦେଇଣ ଚୁମ୍ବନ ହରଷ କରାଇବି । ୩ ।
ଉପଇନ୍ଦ୍ର ଭଞ୍ଜ କହି ରମଣୀରତନ ସେହି
ତାହାଙ୍କ ଚରଣ ଧ୍ୟାୟି ଶରଣାଗତ ହେବି । ୪ ।