(ବନମାଳୀ— ରାଗ କଲ୍ୟାଣ, ତାଳ ଝୁଲା)
ମନ ବାଇଆ ରଜା
ବଣା ହୋଇ ତୁ ଅଣପଥରେ ନ ଯା । ଘୋଷା ।
ଅକାରଣେ ନ ରସି ଅନିତ୍ୟ ଧନେ
ପକାଅ ଦିବ୍ୟଦୃଷ୍ଟି ଚକାନୟନେ । ୧ ।
ରତନ ସିଂହାସନେ ଚତୁର୍ଦ୍ଧାମୂର୍ତ୍ତି
ଯତନ କେମନ୍ତେ ସେ ଶୋଭା ଆକୃତି । ୨ ।
ତ୍ରିଧୂପ ପଞ୍ଚ ଅବକାଶ ଯା କରେ
ଦର୍ଶନ କରୁଥାଅ କୋରକ କରେ । ୩ ।
ଜୟ ଜଗତନାଥ ବୋଲ ବଦନେ
କୀର୍ତ୍ତନ କରି ପ୍ରେମାନନ୍ଦ ବର୍ଦ୍ଧନେ । ୪ ।
ଆମରଣ ତୋ ଗତି କମଳାସାଇଁ
ଭଜନୁ ଅପସରି ରହୁ କିମ୍ପାଇଁ । ୫ ।
ବୋଲଇ ବନମାଳୀ ଛାଡ଼ି ଅଳସ
ଅଭୟ ପାଦପଦ୍ମେ ଶରଣ ପଶ । ୬ ।