(କବିସୂର୍ଯ୍ୟ— ରାଗ କଲ୍ୟାଣ, ତାଳ ଏକତାଳି)
ମନା ମୁଁ କରୁଥିଲି ଏହାକୁ ଗୋ
ଅନାନା ବୋଲି ବନରାହାକୁ ଗୋ
ଅନାଦର ମୋ ଗିରେ କଲା ଯେ ଏବେ ସ୍ମରେ
ଲଭିଲା ଦୁଃଖ ହେଲା କାହାକୁ ଗୋ । ଘୋଷା ।
କୁଞ୍ଜସଞ୍ଚାରୀ ଶ୍ୟାମ ଦେବତା ପରାକ୍ରମ
ଜାଣେ ବଳଇ ରତିନାହାକୁ ଗୋ
ସାହାସୁଁ ସିନା ସଖୀ କି ଯୋଗେ ଦେଲା ଯୋଖି
ନବନୀତେ ତପତ ଲୁହାକୁ ଗୋ । ୧ ।
ଯେବେ ଏ ଚାନ୍ଦମୁହୀଁ ଶ୍ରବଣ ଦେଇ ନାହିଁ
ନାଟୁଆ ଚାଟୁ ବଂଶୀକୁହାକୁ ଗୋ
ତେଜି ହଂସୁଲି ତୂଳି କରନ୍ତା କି ସଙ୍ଖାଳି
ସଲିଳ ସିଞ୍ଚା ସର୍ବଂସହାକୁ ଗୋ । ୨ ।
ଗହବ ଚମ୍ପା ଧଣ୍ଡା ନିର୍ମିତ ଗଜଶୁଣ୍ଢା
ଦଣ୍ଡକୁ ନିନ୍ଦି ଚାହିଁ ଯାହାକୁ ଗୋ
ବିଶେଷେ ବିସନାଳ ଦିଶିଲାଣି ପୃଥୁଳ
ଆଉ କାହିଁଛି ସେହି ବାହାକୁ ଗୋ । ୩ ।
କଳା କେଶରୀ ବାଳୀ ଧୃତି ଦନ୍ତୀକୁ ଦଳି
ଦେଲାଣି ଆସି ମନ ଗୁହାକୁ ଗୋ
ଥରକେ ଯେବେ ଲୋକ ନୋହିଲା ଜାଗରୁକ
କହିବା କେତେ ତୁହାତୁହାକୁ ଗୋ । ୪ ।
କବିମିହିର ରାୟଗୁରୁ କହଇ ଭୟ
ଲାଗୁଛି ଦେଖି ଚିତ୍ତେ ଏହାକୁ ଗୋ
ଜାଣିପାରିଲେ କଂସ ପେଷି କରିବ ଧ୍ୱଂସ
ଜଟିଳାସୁତ ଘରବୁହାକୁ ଗୋ । ୫ ।