(ବନମାଳୀ— ରାଗ ଲଳିତ, ତାଳ ଯତି)
ମାନ ତେଜ ସଜନୀ
ସେ ମୋହନ ଲାଗି ମୁଁ କରୁଛି ଦଇନୀ । ଘୋଷା ।
ମୋତେ ଛନ୍ତି ପଠାଇ ତୋତେ ସଙ୍ଗେ ନେବା ପାଇଁ
ବିଳମ୍ବ କରୁ କିମ୍ପାଇଁ ରାଜନନ୍ଦିନୀ । ୧ ।
ଡରି ମନମଥକୁ ନିଦ୍ରା ନ ଆସେ ନେତ୍ରକୁ
ଘୋଷନ୍ତି ତୋର ନାମକୁ ଗଜଗାମିନୀ । ୨ ।
ସେବାରେ ମନାଇଁ ହର ପାଇଣ ଥିଲୁ ଯେ ବର
ଏବେ ତାକୁ କରୁ ପର ରାସରଙ୍ଗିନୀ । ୩ ।
ଝଟକ କାଞ୍ଚନ ଗୋରୀ ହଟ କରୁ କି ବିଚାରି
ବାଟ ଚାହିଁଥିବା ହରି ଗଲା ରଜନୀ । ୪ ।
ବନମାଳୀ ଦାସ ଭଣି ଦୂତିକା ବଚନ ଶୁଣି
ମାନ ତେଜିଲେ ତକ୍ଷଣି କିଶୋରୀମଣି । ୫ ।