(ଉପେନ୍ଦ୍ର ଭଞ୍ଜ— ରାଗ ଚିନ୍ତାକାମୋଦୀ, ତାଳ ତ୍ରିପଟା)
ମାନ ଉଦ୍ଧାରଣ କର ହେ କାରଣ
ଶରଣ ମୁଁ ତୁମ୍ଭ ପାଦତଳେ ।
ଅନାଥର ନାଥ ନୀଳଗିରି ନାଥ
ଜଗନ୍ନାଥ ନାମ ନୀଳାଚଳେ ।
ମହୋଦଧୀ କୂଳେ କଳ୍ପବଟ ମୂଳେ
ବିଜେ କରିଛ ବଡ଼ ଦେଉଳେ ।
ଲକ୍ଷେ ଯୋଜନରେ ବାରଣ ଚିନ୍ତିଲା
ତା ଡାକ ଶୁଣିଲ ପଶା ଖେଳେ ।
ମାରକଣ୍ଡ ୠଷି ଯାଉଥିଲେ ଭାସି
ଉଦ୍ଧରି ଧଇଲ ବାହୁତଳେ ।
କିଷ୍କିନ୍ଧାକୁ ଗଲ ବାଳି ବିନାଶିଲ
ବନ୍ଧ ହେ ବାନ୍ଧିଲ ସିନ୍ଧୁଜଳେ ।
ଲଙ୍କାରେ ରାବଣ ବଧିଲ ଆପଣ
ଜନକ ନନ୍ଦିନୀ ସୀତାଛଳେ ।
ଯୁଧିଷ୍ଠିର ବୋଲେ ହସ୍ତିନାକୁ ଗଲ
ଭୋଜନ କଲ ବିଦୁର ଘରେ ।
କୁରୁସଭା ତଳେ ପାଞ୍ଚାଳି ଚିନ୍ତିଲା
କୋଟି ବସ୍ତ୍ର ଦେଲ ଅବହେଳେ ।
ବନପୋଡ଼ି କାଳେ ଘୋର ଦାବାନଳୁ
ଉଦ୍ଧରି ଧଇଲ ବ୍ରଜବାଳେ ।
ଭଣେ ଉପଇନ୍ଦ୍ର କବିକୁଳଚନ୍ଦ୍ର
ଶରଣ ମୁଁ ତୁମ୍ଭ ପାଦତଳେ ।