(ଗୋପାଳକୃଷ୍ଣ— ରାଗ ବିହାଗଡ଼ା, ତାଳ ତ୍ରିପଟା)
ମନକୁ ମନ ମୋ ଧନ କି ବିଚାରୁଥିବ ବସି
ଦିନକୁ ଦିନ ହେବନି ଖିନ୍ନ ଲହୁଲି ବୟସୀ ରେ । ଘୋଷା ।
ପୁର ଦୁଆର କବାଟ ନିକଟରେ ରହି ବାଟ
ଜଗି ଜଗି ମୋ ଭେଟକୁ ନଟ ଖଞ୍ଜରୀଟ ଦୃଶୀ । ୧ ।
ଡାକିଲେ ବାୟସ ଆଗେ ଆହାର ଦେଇ ସରାଗେ
ପଚାରି ସନ୍ଦେଶ ମୋର ସଜ ନୀରଜ ସୁବାସୀ । ୨ ।
ଘଡ଼ିକି ଘଡ଼ି ନୟନ କରୁଥିବ ଥନଥନ
କେତେ ଦୀର୍ଘଶ୍ୱାସ ତେଜୁଥିବ ଗଣ୍ଡେ କର ନିବେଶି । ୩ ।
ଶୀର୍ଣ୍ଣ ହୋଇଯିବା ଚାହିଁ ପଚାରିଲେ ତାକୁ ସହୀ
ମଥା ଲୁଆଇଁ କରଜ ଅବନୀରେ ଘଷି ଘଷି । ୪ ।
ସହିଥିବ ଶଙ୍କରଙ୍କୁ ଚମ୍ପକ ବଢ଼ାଇବାକୁ
ଗୋପାଳକୃଷ୍ଣ ବୋଲେ ମୁଁ ବିଦେଶ ଯିବାକୁ ମନାସି । ୫ ।