(କବିସୂର୍ଯ୍ୟ— ରାଗ ନାଗଧ୍ୱନି, ତାଳ ଯତି)
ମାନସରୁ ମାନ ସରୁ ମାନ ସରୁମଧ୍ୟମା । ଘୋଷା ।
ହର ବରଦୁଃଖ ମୋର । ହରବର ତୁ ନ କର ।
ହରବରରେ ମୁଁ ତୋର ବର ବରବରନା । ୧ ।
ପରବତସ୍ତନା ମୋତେ । ପର ବତ କରୁ କେତେ ।
ପରବରତ ସୁରତେ ପରସନେ ସୁମନା । ୨ ।
ତୁ ମୋ ଉରପଦକ ରେ । ଘେନ କଥା ପଦକ ରେ ।
ଧରୁଛି ତୋ ପଦ କରେ ମୋଦ କରେ ନବୀନା । ୩ ।
କବିସୂର୍ଯ୍ୟ ଦୀନବନ୍ଧୁ । ବୋଲି ହେଲି ଦୀନ ବନ୍ଧୁ ।
ରଖ ବାରେ ଦିନବନ୍ଧୁ-ବନ୍ଧୁଜିତ ନୟନା । ୪ ।