(କବିସୂର୍ଯ୍ୟ— ରାଗ ଆହାରୀ, ତାଳ ଯତି)
ମନ୍ଦମଳୟାନିଳ ବହିଲା
ଚନ୍ଦ୍ରବଦନା ଦୂରେ ରହିଲା । ଘୋଷା ।
ଖାଇ ନୂଆ ଚୂତ ବକୁଳକୁଳ
କଳକଣ୍ଠ କରେ ଯା କଳକଳ
କରି କଳକଳ ପ୍ରବାସୀ ବିକଳ
କରିବ ବୋଲି ବୋଇଲା । ୧ ।
ଅଙ୍କ ଜଗତିରେ ପଙ୍କଜମୁଖୀ
ପହୁଡ଼ିଲେ ମୋର ହୁଏ ଯେ ସୁଖୀ
ମୃଦୁ ସରସିଜ କିଶଳୟ ଶେଯ
ଧନକୁ ଯୋଗ୍ୟ ହୋଇଲା । ୨ ।
ଆହା ତାହା ସାହା ବାରେ ତ ମୋତେ
ବନରୁ ଚମ୍ପକମାଳା କିଞ୍ଚିତେ
ମନମଥ ବଶେ ଏବେ ସେ ଅବଶେ
ଦୁଃସହ ଦୁଃଖ ସହିଲା । ୩ ।
ପଲ୍ଲବକୁ ଦଣ୍ଡଧର ରସନା
ବଲ୍ଲୀରୁ କିଶୋରୀ ମଣିବ ସିନା
କିଂଶୁକ ସ୍ତବକ ଅନଳ ଯାବକ
ତୁଲ୍ୟ ତ ଦେହ ଦହିଲା । ୪ ।
ଭଣିଲେ ଅଷ୍ଟଦୁର୍ଗ ପୁରୁହୂତ
ଦୁଃଖ ତେଜିଲେ ବ୍ରଜରାଜସୁତ
ମୃଦୁଳ କନ୍ଦଳୀ ବଜ୍ରେ ଦେଲେ ଦଳି
ହେବାର ବିହି ବିହିଲା । ୫ ।