(ଆର୍ତ୍ତବନ୍ଧୁ ଦାଶ— ରାଗ କେଦାର କାମୋଦୀ, ତାଳ ଆଡ଼ତାଳି)
ମଞ୍ଜୁଳ ମଞ୍ଜରୀ କୁଞ୍ଜ ପୁଞ୍ଜ ଭରି
ସଞ୍ଜ ପ୍ରଭଞ୍ଜନ ବହୁଥିବ
ଆନନ୍ଦରେ ଚାନ୍ଦ ନଚାଇ କୁମୁଦ
ଅରବିନ୍ଦେ ମନ୍ଦ ଶୋହୁଥିବ । ଘୋଷା ।
ସରସୀର ଅଙ୍ଗେ ନୀଳ ଜଳ ସଙ୍ଗେ
ନାଚିବ ତରଙ୍ଗେ ଇନ୍ଦୁ ବିମ୍ବ ରଙ୍ଗେ
ଚୂତ ଡାଳେ ମଧୁଦୂତ ସୁଧାବିନ୍ଦୁ
ରୁତଛଳେ ପ୍ରାଣେ ଦେଉଥିବ ।୧।
ଉପବନ ଶିରୀ ପ୍ରସୂନ ସୁନ୍ଦରୀ
ଯଉବନ ଧରି ପବନ ଆଦରି
ମନ୍ଦେ ମନ୍ଦେ ହସି ମକରନ୍ଦେ ତୋଷ
ଗନ୍ଧେ ଗନ୍ଧବହ ମୋହୁଥିବ ।୨।
ପବନ ପରଶେ ସୁମନ ହରଷେ
ଫୁଲି ନବରସେ ଝୁଲିବ ସରସେ
ଗଲେ ତହିଁ ଅଳି ବଳେ ଚାହିଁ ବାଳୀ
ଛଳେ ନାହିଁ ବୋଲି କହୁଥିବ ।୩।
ବୋଲୁଥିବ ଧିଟପୁରୁଷ ଲମ୍ପଟ
ଗୁଣ ମଧୁଲିଟ ନ କର ପ୍ରକଟ
ବିଟଳ ଗୁଞ୍ଜନେ ବିଟସ୍ନେହୀ ମନେ
ବିଟପୀ ପ୍ରସୂତା ହେଉଥିବ ।୪।
ସେ କାଳ ସୌରଭ ଅତୁଳ ବିଭବ
କରାଏ ସମ୍ଭବ ଅପରୂପ ଭାବ
ମାଧବୀ କାନନେ ବାନ୍ଧବୀ ଗହଣେ
ବନ୍ଧୁ ସୁଖେ କାଳ ନେଉଥିବ ।୫।