(ବନମାଳୀ— ରାଗ କୃଷ୍ଣକେଦାର, ତାଳ ଆଠତାଳି)
ମର୍ମ ଦହୁଛି ଗୋ
କୃଷ୍ଣ ପ୍ରୀତି ଦାବାନଳ ହେଉଛି ଗୋ । ଘୋଷା ।
ଅନ୍ତର ହେବାରୁ ସେ ତ ନ ରହଇ ମୋ ସଚେତ
ଏ ଦଶା ଲଲାଟେ ବିହି ଲିହିଛି ଗୋ । ୧ ।
ବେଳହୁଁ ଯାଇଛି ହୁଡ଼ି ଆପଣା ଇଚ୍ଛାରେ ଲୋଡ଼ି
ଚିନ୍ତାପଙ୍କେ ଗଡ଼ି ସଢ଼ିଯାଉଛି ଗୋ । ୨ ।
ଝୁରି ଝୁରି ନିଶି ଦିନେ ଝରଇ ନୀର ନୟନେ
ନଦୀ ପରା ହୋଇ ବହିଯାଉଛି ଗୋ । ୩ ।
ଶୁଣ ଲୋ ପରାଣସଖୀ ନ ପାରେ ଜୀବନ ରଖି
ସ୍ନେହ ଏତେ ସରି କଲା କହୁଛି ଗୋ । ୪ ।
ବନମାଳୀ ଦାସ ଭଣି ନ ଭାଳ କିଶୋରୀମଣି
ଶ୍ରୀ କୃଷ୍ଣଙ୍କୁ ଆଣିବି ମୁଁ ଯାଉଛି ଗୋ । ୫ ।