(ଦୀନକୃଷ୍ଣ— ରାଗ ବିଲାହାରୀ, ତାଳ ଏକତାଳି)
ମିତ ଚାହାଁ ଏ ପରା
ବ୍ରଜ ଯୁବତୀମାନଙ୍କ ଚିତ୍ତଚୋରା । ଘୋଷା ।
ମୁରଲୀ କରେ ଧରି ମାରି ନେତ୍ର କଟାରୀ
ପତିବରତ ହରି ନିଅଇ ଜୂର କରି
ତା ପାଲରୁ ଉବୁରି ଅଛି କେ ବ୍ରଜନାରୀ
ନ ପଡ଼ି ଧରା । ୧ ।
ତ୍ରିଭଙ୍ଗୀ ଛନ୍ଦେ ଉଭା ହୋଇ ଦିଶନ୍ତି ଶୋଭା
ନୋହିବ କେ ବା ଲୋଭା ନୀଳମଣି ପ୍ରତିଭା
ଅଧର ଜିଣି ଜବା ଜାତି କୁସୁମ ଗଭା
କି ଦିଶେ ତୋରା । ୨ ।
କଟିତଟେ କିଙ୍କିଣୀ ବାଜଇ କିଣି କିଣି
ଶୁଣି କେଉଁ ରମଣୀ କିଣି ନୋହିବ ପୁଣି
ଆହା ତ୍ରିଭଙ୍ଗୀ ଠାଣି ବାଙ୍କ ବାଙ୍କ ଚାହାଣୀ
ନେତ୍ର ପସରା । ୩ ।
ଜାଳିଣ ଯେ ଜାଗର ପୂଜି ପାର୍ବତୀ ବର
ପାଇବ ଏ ନାଗର ଠାରୁ ସେ ସୁଆଦର
ଦୀନକୃଷ୍ଣ ଏ ଗିର ଭାଷନ୍ତି ବାରମ୍ବାର
ମୋ କଣ୍ଠହାରା । ୪ ।