(କବିସୂର୍ଯ୍ୟ— ରାଗ ଗୌରୀ, ତାଳ ଏକତାଳି)
ମୋ ଭାଲେ ଥିଲା କି ଲିହି
କଲି ମଲ୍ଲୀ ରୋପଣ ତହୁଁ ଜନ୍ମିଲା ତୃଣ
ଚିନ୍ତା ରତନଗଣ ହେଲା ପାଷାଣ କଣ । ଘୋଷା ।
ଚୂତ ଫଳିଲା ନାଗରଙ୍ଗ
କଟି ମେଖଳା ହେଲା ଭୁଜଙ୍ଗ
ତଟିନୀ ତଟେ ବାସ କରି ନ ଗଲା ଶୋଷ
ପିଇବାର ପୀୟୂଷ ପାନରେ ହେଲା ବିଷ । ୧ ।
ମଧୁ ଶାକର ହେଲା ନିମ୍ବ
ରବି ପରି ହେଲା ଚନ୍ଦ୍ରବିମ୍ବ
ଧାତାର କି ବିବେକ ଚଞ୍ଚୁଜିତ କିଂଶୁକ
ପଢ଼ା ପଣ୍ଡିତ ଶୁକ ହେଲା ମୋ ଦ୍ରୋଣ କାକ । ୨ ।
ମନ୍ଦାକିନୀରେ ନିମଜ୍ଜିଲି
ନିନ୍ଦା କାହିଁକି ଅରଜିଲି
ଚଢ଼ିଲି ମେରୁଚୂଳ ଭୋଗ ହେଲା ଅତଳ
ବ୍ରହ୍ମଜାତି ପାଟଳ ହୀରା ହେଲା ପିତ୍ତଳ । ୩ ।
ଆଉ ନ ରମିବି ନବୀନା
ଜୀବନ ଯିବ ତାଙ୍କ ବିନା
ଏ ଚିନ୍ତାର ମନ୍ଦିର ହେଲେ ଶ୍ୟାମସୁନ୍ଦର
ବନ୍ଦଇ ଜଳନ୍ତର ଅବନୀ ପୁରନ୍ଦର । ୪ ।