(କବିସୂର୍ଯ୍ୟ— ରାଗ କଳିଙ୍ଗଗୌଡ଼ା, ତାଳ ନିଃସାରୀ)
ମୋ ଧନ ତ ରୁଷିଲା ପରି ଦିଶିଲା ରେ । ଘୋଷା ।
କରମ ଅବଳ ହେବାରୁ କେବଳରେ
ପୀୟୂଷ ରସରେ ବିଷ ମିଶିଲା ରେ । ୧ ।
ଭ୍ରମେ ମୋ ମାନସ ଛୁଇଁଥିଲେ ଦୋଷରେ
ପ୍ରଭୁ ତ ସେ କାହିଁକି ନ କଷିଲା ରେ । ୨ ।
ଅନ୍ୟ ପ୍ରୀତି ବିନା ନ ଜାଣେ ନବୀନାରେ
ତା ମନେ ଗୁମାନକୁ କେ ପେଷିଲା ରେ । ୩ ।
ରସମୟ ବିନା ମୋ ସହୀଟି ସିନା ରେ
ତାକୁ ରୋଷ ନଜରେ କେ ତୋଷିଲା ରେ । ୪ ।
ମୁଁ ଯେବେଟି ଦୋଷୀ ମତେ ତ ନ ଭାଷିଲା ରେ
ନଖ କୁନ୍ତେ ବସୁଧାକୁ ଭୁଷିଲା ରେ । ୫ ।
ଅଷ୍ଟଦୁର୍ଗ ପତି ଚିତ୍ତେ ଚିନ୍ତି ନିତି ରେ
ହସି ଅନାଇଁବି କେହି ସୁଶୀଳା ରେ । ୬ ।