(ଉପେନ୍ଦ୍ର ଭଞ୍ଜ— ରାଗ ଶୁଦ୍ଧଭୈରବ, ତାଳ ଯତି)
ମୋ ରାମା ମନେ କି ପାଞ୍ଚିଲା ରେ
ବେନି କୁମ୍ଭ ପରେ ସାତ କୁମ୍ଭ ଥୋଇ
ପଞ୍ଚ ମନକୁ ତୋଷିଲା । ଘୋଷା ।
ଏକେ ବେନି ମୁଖ ତାର ଚାରି ମୁଖ
ଷଡ଼ଚକ୍ରରେ ଘୋଟିଲା
ମନ୍ଦରସୁତା ସେ ମନରେ ହରଷେ
ପନ୍ଦରନେତ୍ର ମୋହିଲା । ୧ ।
କରୀ ପରେ ହରି ହରି ପରେ କରୀ
କି ରଙ୍ଗେ ଚଢ଼ାଇଥିଲା
ଚନ୍ଦ୍ର ପରେ ସୂର୍ଯ୍ୟ ସୂର୍ଯ୍ୟ ପରେ ଚନ୍ଦ୍ର
ତା ପରେ ତାରା ଖଞ୍ଜିଲା । ୨ ।
ବିମ୍ବଫଳ କିବା ଜମ୍ଭିଳ ଶ୍ରୀଫଳ
ଫଳେ ପରିପୂର୍ଣ୍ଣ ହେଲା
ଶମ୍ଭୁ ବୋଲିକରି ଦର୍ଶନ କରନ୍ତେ
ଦୁକୂଳ ଘୋଡ଼ାଇଦେଲା । ୩ ।
ନାରୀ ବାର-ଚାରି ବରଷ କୁମାରୀ
ପର ପୁରୁଷ ମୋହିଲା
ବୋଲେ ଉପଇନ୍ଦ୍ର ଭଞ୍ଜ ବୀରବର
ନିଜ ମନ୍ଦିରେ ଚଳିଲା । ୪ ।