(ବନମାଳୀ— ରାଗ ଖଣ୍ଡ ବଙ୍ଗଳାଶ୍ରୀ, ତାଳ ସରିମାନ)
ମୋହନ କହିଲେ କି ହେବ ଆଉ
ଦିନକୁ ଦିନ ହେ ବଳି ପଡ଼ିଲାଣି
କିଶୋରୀ ବିରହ ଦାଉ । ଘୋଷା ।
ଗଲେ ଯମୁନାକୁ ନୀର ଆଣିବାକୁ
ନୀର ଭରି ନେତ୍ର ଯୁଗେ
କଦମ୍ବ ମୂଳକୁ ଚାହିଁ ପୁଣି ତାକୁ
କି ପୁଚ୍ଛଇ ଅନୁରାଗେ । ୧ ।
ବୃନ୍ଦାବନେ ବାଳୀ ଆଉ ଫୁଲ ତୋଳି
ଯାଉ ନାହିଁ ତୁମ୍ଭ ବିନା
ଗଣ୍ଡେ କର ଦେଇ ଚିନ୍ତାର୍ଥିନୀ ହୋଇ
ସଢ଼ୁଛି ନବ ନବୀନା । ୨ ।
କରମକୁ ନିନ୍ଦେ କେଶ ହିଁ ନ ବାନ୍ଧେ
ବେଶରେ ନାହିଁ ଆଦର
ଦରକଣ୍ଠୀ ଗୋରୀ ଦରମରା ପରି
ଢଳି ପଡ଼େ ମହୀ ପର । ୩ ।
କି ଉନ୍ମାଦ ରୋଗ ଘୋଟିଛି ତାହାକୁ
କେହି ନ ପାରନ୍ତି ଚିହ୍ନି
ବୋଲେ ବନମାଳୀ ତୁମ୍ଭେ ସିନା ମୋର
ବୈଦ୍ୟରାଜ ଚୂଡ଼ାମଣି । ୪ ।