(ଗୋପାଳକୃଷ୍ଣ— ରାଗ ଖମ୍ବାଜ, ତାଳ ରୂପକ)
ମୋହନ ପ୍ରସଙ୍ଗ ସଙ୍ଗିନୀ ରେ ଆଉ କହନା
ଅଭ୍ରଲିହ ଅନଳରେ ସମିଧ ଦେଇ ଦହନା । ଘୋଷା ।
ପୁଣି ମୁଁ ଆଶା କରିବି ବୋଲି କି କହୁଛୁ ଭାବି
ଶୁଖିଗଲା ଅଗାଧ ତରଣୀ ସୁତା ପ୍ରବାହନା । ୧ ।
ଶାଶୁ ନଣନ୍ଦ ଭର୍ତ୍ସନା ସ୍ୱବନ୍ଧୁଜନ ତର୍ଜ୍ଜନା
କେତେ ସୁହାଇବି ତନୁ ଶିଳା ମୁଁ ମହୀରୁହ ନା । ୨ ।
କୁମୁଦିନୀ ଗୋପୀବ୍ରଜ ବ୍ରଜବିଧୁ ସେ ସହଜ
ସେ କି ତୃଷିତ ଚାତକ ମୁଁ ନବ ବାରିବାହ ନା । ୩ ।
ଲୁଚାଇ ଜାତି ନାଶିଲି ଅଲଙ୍ଘ୍ୟ ଯାକ ଲଙ୍ଘିଲି
ବାସ ପ୍ରସାରି ମାଗୁଛି ସରି ଗୋ ମାସେ ସ୍ନେହନା । ୪ ।
ଗୋପାଳକୃଷ୍ଣ ଭାଷିତ ଶ୍ୟାମ ଲଳିତା ଏକାନ୍ତ
ହେଉଛନ୍ତି ପ୍ରାଙ୍ଗଣରେ ମାନସରେ ସନ୍ଦେହନା । ୫ ।