(ବନମାଳୀ— ରାଗ କାଫି, ତାଳ ଖେମଟା)
ମୁଁ ବିକି ଦେଇଛି ପରାଣ ଘନଶ୍ୟାମଙ୍କୁ
ଆସିଲେ ନ ଆସୁ ପଛେ କାହା ମନକୁ । ଘୋଷା ।
କିଶୋରୀ କାଳରୁ ସଖୀ
ତାଙ୍କ ନାମ ମୁଖେ ରଖି
ନ ଚିହ୍ନିଲେ ଶ୍ୟାମବନ୍ଧୁ ମୋର ମନକୁ । ୧ ।
ବ୍ରଜସାରା ବୁଲି ବୁଲି
ମୋ ନାମେ କରନ୍ତି ହୁରି
ସଂସାରେ କେହି ନ ଥିବେ କହିଦେବାକୁ । ୨ ।
ଗୋପୀଙ୍କ ବସନ ନେଇ
କଦମ୍ବ ଡାଳରେ ଥୋଇ
ସମସ୍ତ ଦେହ ଉଲଗ୍ନ ଥରିବୁ । ୩ ।
ଦୂତୀ କର ଧରି ସଖୀ
କହଇ ହୋଇ ବିମୁଖୀ
ଆଉ କାହା ପୁରେ ଶ୍ୟାମ ଦେଲେ ମନକୁ । ୪ ।
ବନମାଳୀ ଦାସ ଭଣି
ଧନ୍ୟ ସେ ବଙ୍କିମା ଠାଣି
କର ଯୋଡ଼ି ଜଣାଉଛି ତାର ପ୍ରେମକୁ । ୫ ।