(ବେଣୁଧର— ରାଗ କାମୋଦୀ, ତାଳ ଖେମଟା)
ନ ଯା ଯମୁନା ଲୋ ସହି ନ ଯା ଯମୁନା
ବାଟ ଜଗିବସିଛି ସେ ଛଇଳ କାହ୍ନା । ଘୋଷା ।
ତୁ ତାକୁ ଦେଖିଲା କ୍ଷଣି
ହୋଇଯିବୁ ପାଗଳିନୀ
ଗରବ ଗୁମାନ ଦମ୍ଭ ହୋଇବ ଚୂନା । ୧ ।
ଏ ବରଜେ କେତେ ବାଳୀ
ନାହାନ୍ତିଟିରେ ସଙ୍ଖାଳି
ତୋହ ଠାରେ ସିନା ନିତି ତାହାରି କୁହ୍ନା । ୨ ।
ବାଉଁଶର ବଂଶୀ ଖଣ୍ଡ
ଫୁଙ୍କି ଦିଅଇ ଯା ଦଣ୍ଡ
ଆଜନମ ସୁଖୀ ଧନୀ ତା ଜାଣିଛୁ ନା । ୩ ।
ତୋ ନାମଗୋଟି ଜୀବିକା
କରି ବୁଲେ ଗିରିଟେକା
ଯେତେ ମନା କଲେ ହେଲେ ନ କରେ ଘେନା । ୪ ।
ବୋଲେ ବେଣୁଧର ମିତ
ଯାହା କହିଲ ଗୋ ସତ
କି ନ କରନ୍ତି ସେ ଘନ କାଳିଆ ସୁନା । ୫ ।