Naba Bilasini Re Nakhyatresa Hasini

ନବ ବିଳାସିନୀ ରେ ନକ୍ଷତ୍ରେଶ ହାସିନୀ
(Kabisurjya— Raga Kamodi, Tala Adatali)
(କବିସୂର୍ଯ୍ୟ— ରାଗ କାମୋଦୀ, ତାଳ ଆଡ଼ତାଳି)

Na Patala — Kisorachandrananda Champu
ନ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ନବ ବିଳାସିନୀ ରେ ନକ୍ଷତ୍ରେଶ ହାସିନୀ । ଘୋଷା ।

ନାହିଁ ବୋଲିବା ବାଣୀ ନିପଟ ନାହିଁ ଶୁଣି
ନଳିନାକ୍ଷିରେ ହୋଇ କିସ ହେବ
ନନ୍ଦନନ୍ଦନ ପ୍ରେମା ପ୍ରେମାରେ ନୁହେ ଜମା
ନିତମ୍ବିନୀଙ୍କ ଯେବେ ଗତି ଥିବ । ୧ ।

ନିଷ୍ଠୁର ଗୁଣ କୁଳିଶରୁ ପଡ଼ିଛି ବଳି
ନିଶ୍ଚୟ ତିନି ବର୍ଣ୍ଣ ନାହିଁ ଲେଖି
ନାଗରୀ ବିମୋହନ ମନ୍ତ୍ର ମାତ୍ରକ ମନ
କପଟ ସମ୍ପୂଟରେ ଅଛି ରଖି । ୨ ।

ନିରନ୍ତରାୟ ରସ ପ୍ରସାରଣେ ପୀୟୂଷ
ଧାରା ଧିକ୍କାରକାରୀ ପରି ଲାଗେ
ନିମିଷକରେ ଜ୍ୱାଳା ଜନ୍ମାଏ ଜିଣି ହାଳା
-ହଳକୁ ଯେ ସଙ୍ଖାଳି ମହା ନାଗେ । ୩ ।

ନିଶିଦିନ ଶୟନ ନ ଜାଣଇ ନବୀନ
ବିସିନୀ ଦଳ ଶେଯ ଯାଏ ଜଳି
ନୀପବନ ପବନ ନିର୍ଦ୍ଧୂମ ଶିଖ ଧନ
-ଞ୍ଜୟ ଝାସରୁ କରେ କଟୁ କେଳି । ୪ ।

ନିନ୍ଦାର ନିକେତନ ହୋଇବୁରେ ନୂତନ
ମନ୍ଦାର ବିମ୍ବ କୁରୁବିନ୍ଦାଧରା
ନିଶା ରମଣକର କଳିକାକଣ ତୋର
ହୋଇଯିବ କଳ୍ପାନ୍ତ କାଳ ଖରା । ୫ ।

ନ ବରଷରୁ ଊଣା କାଳୁ ତ ଅଛି ଜଣା
ନଖାଗ୍ରେ ଉଦ୍ଧରିଲା ଗୋବର୍ଦ୍ଧନ
ନବ ନୀରଜକୋଷ ନିଭ ତୋ କୁଚ କିସ
ଅଣ୍ଟିବ କଣ୍ଠୀରବ ମଧ୍ୟା ଘେନ । ୬ ।

ନିବେଦନ କରୁଛି କରକଞ୍ଜ ଧରୁଛି
ହେଲେ ହେଉ ଅରୁଚି ନିଦ୍ରାହାରେ
ନରନାଥ ଶ୍ରୀ ହରିଚନ୍ଦନ ବନ୍ଦେ ଗୋରୀ
ନ ରସ ନୀଳବାହା ମୁଦ୍ରାହାରେ । ୭ ।