Naba Chhaila Mandana Mohana

ନବ ଛଇଳ ମଣ୍ଡନ ମୋହନ
(Kisorachandra— Raga Suratha, Tala Ekatali)
(କିଶୋରଚନ୍ଦ୍ର— ରାଗ ସୁରଠ, ତାଳ ଏକତାଳି)

ନବ ଛଇଳ ମଣ୍ଡନ ମୋହନ
ଖେଳାଅ ଏ ଦିଗେ ଚଞ୍ଚଳ ନେତ୍ର ଖଞ୍ଜନ । ଘୋଷା ।

ମୋହିତ କରେ ଶ୍ରୁତି ବେନି ସରଭସ ଗତି
ବଶୁଁ ଯୁବତୀ ପଦ ମଞ୍ଜୁ ମଞ୍ଜୀର ସ୍ୱନ । ୧ ।

ନୀଳ ଉତ୍ପଳ ବୃଷ୍ଟି ସଦୃଶ ବିଲୋଳ ଦୃଷ୍ଟି
ସହସ୍ର ଏକାବେଳକରେ ହୁଏ ପତନ । ୨ ।

ଥରକେ ବିମୋହନ ଶର କୋଟିକି ପ୍ରସୂନ
ଧନୁରେ ସନ୍ଧି ମଦନ କରୁଛି କି ମୋଚନ । ୩ ।

ଏଣେ ମଣିମହିଳା ମଣ୍ଡି କେତେ ସୁକୋମଳା
ରାଧାଙ୍କୁ ଘେନି ସଙ୍ଗେ କରନ୍ତି ବିଲୋକନ । ୪ ।

ନୀଳ ଶାଢ଼ୀକି ଲାଗି ହୋଇଛି ଯେ କନକାଙ୍ଗୀ
ବୃଷଭାନୁ ନନ୍ଦନା ଅଟେ ସେହି ଘେନ । ୫ ।

ରାଧାଙ୍କୁ ସଖୀ ବୋଲେ ହରଷ ଭରେ ସେକାଳେ
ଭଣେ କିଶୋରଚନ୍ଦ୍ର ରାଜ ବଳଭେଦନ । ୬ ।