(ବନମାଳୀ— ରାଗ ମାଳବ, ତାଳ ଯତି)
ନବ ନାଗର କାହ୍ନା ମୁରଲୀ ବଜାଏ
ଶୁଖିଲା ତରୁକୁ ପଲ୍ଲବାଏ ଗୋ । ଘୋଷା ।
ଶୀତ ଋତୁ ନୋହେ ତନୁ କମ୍ପାଏ
ବିଶିଖ ନୋହେ ମରମକୁ ପାଏ
ଶିଖୀ ନୋହେ ମାନସ ତତାଏ ଗୋ । ୧ ।
କେବା ଜାଣେ କେହୁ ମନ୍ତର ଗାଏ
କର୍ଣ୍ଣେ ବାଜି ଆଉ ନ ଚଳେ ପାଏ
ବଳେ ଧରି ମଦନେ ମତାଏ ଗୋ । ୨ ।
ହଟ କରି ଜଳଘାଟକୁ ଯାଏ
ଆଭିରୀ କୁଳେ କଳଙ୍କ ଲଗାଏ
ନୀପମୂଳେ ଉଭା ଶୋଭା ପାଏ ଗୋ । ୩ ।
ବନମାଳୀ ଏହୁ ରସରେ ଗାଏ
ଅସତ କଥାକୁ ସତ କରାଏ
ତାହା ଘେନି ଏତେ ଦୁଃଖ ପାଏ ଗୋ । ୪ ।