()
ନବଘନ ଶ୍ୟାମ ହେ ଶତ କାମଜିତ ଅଭିରାମ
ଗୋପପୁର କୁଳ ପାଳିବା କୁଳ ମୋହ ମାଦକ ଧାମ । ଘୋଷା ।
କଳିତ କଳରବ ମଧୁର ମଞ୍ଜୁଳ
ଲଳିତ ବେଣୁ ବିଳାସ ଚଞ୍ଚଳ
ଦଳିତ କାଳୀୟ ସର୍ପ ଦର୍ପକ
ଦୁଷ୍ଟ ଦାନବ କାଳ ହେ । ୧ ।
କୁଞ୍ଜ କାନନ କେଳି କୌତୁକ
କୌତୁକୀ ସୁର ନିକର ନାୟକ
ଗର୍ବଗଞ୍ଜନ ସର୍ବରଞ୍ଜନ
ଗୋପ ଭୂପତି ବାଳ ହେ । ୨ ।
ଲପନ ଛବି ଜିତ ଚନ୍ଦ୍ରମଣ୍ଡଳ
ତପନ ଦୀପନ କର୍ଣ୍ଣ କୁଣ୍ଡଳ
ବିପିନ ଚାରଣ ଚରଣ ରୁଣଝୁଣ
ହେମ ନୂପୁର ନାଦ ହେ । ୩ ।
ବିବୁଧବରବର ଦୁଷ୍ଟଦାରଣ
ଗୋପ ଗୋକୁଳ କଷ୍ଟ ହାରଣ
ପ୍ରଳୟ ପାଳନ ସୃଷ୍ଟି କାରଣ
ଦେବ ଚିନ୍ତିତ ପାଦ ହେ । ୪ ।
ଭକ୍ତବତ୍ସଳ ଦୀନବାନ୍ଧବ
ମୁକ୍ତିଦାୟକ ରାଧିକାଧବ
ଦେବ ବନ୍ଦିତ ହେ ଦୟାମୟ
ଖେଦ ଖଣ୍ଡନ ନାଥ ହେ । ୫ ।
କେଶୀ ଅଘ ବକ ଶକଟ ସଙ୍କଟ
ନାଶୀ ତବ ପଦପଦ୍ମ ମଧୁଲିଟ
ଦୀନବର ବ୍ରଜନାଥ ବୋଲେ ଦର
ଦୂର କର ଦର ହାଥ ହେ । ୬ ।