(କବିସୂର୍ଯ୍ୟ— ରାଗ କାନଡ଼ା, ତାଳ ଝୁଲା)
ନଚାଇଲା ଯାହା ସେ
ଭୂରୁ ଚାପ ଚପଳ ଚମରୀଦୃଶା । ଘୋଷା ।
ମୋ ଧଇର୍ଯ୍ୟ ମୃଗକୁ ପାଞ୍ଚି
ନୟନାନ୍ତ ବରଛି ଆଞ୍ଚି
ବନ୍ଧୁଆ ବନ୍ଧୁକ ବନ୍ଧୁ ଅଧରରେ
ବନ୍ଦୀ କରି କୁନ୍ଦପସନ୍ଦ ହସା । ୧ ।
ମୁନିଜନ ମାନସଭୁଲା
ଭଲା ମୋତିଝଲକ ଝୁଲା
ବାସବ ରତନ ନଥ ନରତନ
ରସିକା ନାସିକା ପୁଟ ଉଲ୍ଲସା । ୨ ।
ଧନ୍ୟ କାମ ଅମୋଘ ଶର
ମନ କାରା ଭଙ୍ଗୀ ତାହାର
କନକାଚଳ ତ ଛନକା ହୋଇବ
ସ୍ତନ କାନ୍ତି ଦେଖି କାହା ଭରସା । ୩ ।
ଅଳଙ୍କୃତ ନିତମ୍ବ ଫରି
ଶୋଭା ଲୋଭେ ଅଳପ ଫେରି
ଅନାଇଲା ବେଳେ ବିବେକ ଦଳିଲା
କି ବେକତଳିଆ ଲହସା ଖୋସା । ୪ ।
ଛଣା ସୁଧା ବାଣୀ ବିକ୍ରମ
ଜଣା କଲା ସେ ସବୁ କ୍ରମ
ଏଣିକି ଚରମେ ବେଣୀକି ଫଣୀକି
ପରି ଖେଳାଇବ ବରବରସା । ୫ ।
ଅଷ୍ଟଦୁର୍ଗ ମହେନ୍ଦ୍ର ଭଣେ
କିଶୋରୀଙ୍କ ଶୋଭା ବୀକ୍ଷଣେ
ଅଖଣ୍ଡ ଶିଖଣ୍ଡମଣ୍ଡନ ମଦନ
ପଦ ନଦେ ଭାସି କଲେ ପ୍ରଶଂସା । ୬ ।