(କିଶୋର କବି— ଆଡ଼ତାଳି)
ନାହିଁ କେ କରି ଦେଲା କାହିଁକି ଗୋ ମିତଣୀ
ଚାହିଁ ସରଣୀ ହେଲା ଅସରଣି ଏ ରାତି । ଘୋଷା ।
ଲେଖି କମଳ ଦଳେ କେତକୀ କଣ୍ଟା ଧାରେ
ବିଫଳେ ଗଲା ମୋର ମାଗୁଣି ରେ ମିତଣୀ
ନୋଇଲେ ପ୍ରାଣବନ୍ଧୁ କା ରସେ ମାତି ଗୋ
(ତ୍ରିପଟା)
ଅଳପ ଚଳାପାଙ୍ଗୀ ଚାଳି ନେତ୍ର ସରୋଜ
ତଳପ ତଳେ ସାଜି ବସିଲି ତୂଳୀ ଶେଯ
କଳପ ଅଭିଳାଷେ କଲି ମୁଁ ସଙ୍କଳପ
ତୁଚ୍ଛା ଅପଳାପରେ ଢାଳିଦେଲି ସୁମତି
(ପଡ଼ି)
ବାର ବାର ତାର ଚିର ଚିର ରୁଚିତ
ସାର ସାର ରସା ରସାର ହେଲା ଅସାର
ଧାର ଧାର ନୀର ନୟନରୁ ଧାର
ମାର ମାରଗଣରେ ନିରତେ ଘେନି କରତି । ୧ ।
ପ୍ରସରେ ଦିଗଭାଲ ସୁରଙ୍ଗ ଶଶଧର
ସୁମନେ ମାଗେ ଭୃଙ୍ଗ ମେଲାଣି ରେ ମିତଣୀ
ଧିକ ଧିକ ପ୍ରେମିକ ପ୍ରମଦା ମରାଳୀକି
(ଝୁଲା)
ନାଗରବର ଲାଗି ନାଗବଲ୍ଲୀ ମୁଁ ଭାଙ୍ଗି
ଜାଗର ସରାଗରେ ଜାଳି ବସିଲି ଜଗି
ନଗର ସାରା ଠୂଳ କଲି ନାଗକେଶର
ସାଗର ତଟେ ତୃଷା ମେଣ୍ଟିବା ଦୁରଗତି
(ପଡ଼ି)
ବାର ବାର ତାର ଚିର ଚିର ରୁଚିତ
ସାର ସାର ରସା ରସାର ହେଲା ଅସାର
ଧାର ଧାର ନୀର ନୟନରୁ ଧାର
ମାର ମାରଗଣରେ ନିରତେ ଘେନି କରତି । ୨ ।