(ଗୋପାଳକୃଷ୍ଣ— ରାଗ ମାଳବଗୌଡ଼ା, ତାଳ ଆଠତାଳି)
ନାହିଁ କରିଦେ ରେ କାହିଁପାଇଁ ଅପରୋଧ
ବାହିନୀ ପରି ଲୁଚି ବହିଯାଉଛି
ଆଉରି ପୀରତି ସଧ । ଘୋଷା ।
କାଳଯାକ କେ ସେ ଗଞ୍ଜି ହେଉଥିବ
ଏ ଅସଲଟ କଥାରେ
ମୂଳଠାରୁ ଚୂଳ ଯାଏ ଲବ ସତ
ନ ଥିବ ଯାହା ଦେହରେ । ୧ ।
କେତେବେଳେ ଅବା କେଉଁଠାରେ କେ ସେ
ଭ୍ରମିବାର ଥରେ ସିନା
କୋଡ଼ିଏ ଥର ଦିନକୁ କହୁଥିଲେ
ଘଡ଼ିଏ ହେଲେ ରଖନା । ୨ ।
ଲୁଚାଇ ଅପରାଧଯାକ ସଖୀଙ୍କି
ନ କହି ସହିଲୁ ଯାର
ଡକା କରାଇଲା ବନକୁ ଡକାଇ
କଲା ପରା ଉପକାର । ୩ ।
ଅଳି ଗିରି ମଲ୍ଲୀଠାରୁ ନ ଯିବ କି
ନଳିନୀ କୋଳରେ ଥିଲେ
ଧୂଳି ବୋଳି ନ ହୋଇବ କି ବାରଣ
ଶତ ବାର ଗାଧୋଇଲେ । ୪ ।
ଏଣୀଈକ୍ଷଣୀ ହୃଦରେ ବିରହାଗ୍ନି
ଘର କରି ସଦା ରହୁ
ଏଣିକି ସେ ମାର ମହୋତ୍ସବ ସୁଖ
ନୋହିଲେ ପଛକେ ନୋହୁ । ୫ ।
ଏତେ ଦିନ ପରି ପୀରତିବତ୍ସଳା
ମୁହଁ ଶୁଖାନା ତୁ ଆଉ
ମଥାରେ ପଣନ୍ତ ପକାଇ ସେ ଶ୍ୟାମ
ତାହା ପାନ୍ଥରେ ସେ ଯାଉ । ୬ ।
କହଇ ଗୋପାଳକୃଷ୍ଣ ସୋପାନରେ
ମୋହନ ଆସିଅଛନ୍ତି
ବହନ ସଖୀ ବଦନେ ଦେଇ ବାସ
ଶ୍ରୀରାଧା ତୁନି କରାନ୍ତି । ୭ ।