(ଗୋପାଳକୃଷ୍ଣ— ରାଗ ଚୋଖି, ତାଳ ରୂପକ)
ନନ୍ଦ ନୟନ ଇନ୍ଦୀବର ଇନ୍ଦୁ ତୋ ଲାଗି
ଯୋଗୀ ହୋଇଗଲା ପରି ଦିଶୁଛି ଭଙ୍ଗୀ । ଘୋଷା ।
ଶ୍ରୀଅଙ୍ଗରେ ବିନ୍ୟାସି ଛନ୍ଦ ଦେବତା ଋଷି
ବୁଜି ଈକ୍ଷଣ ହେଉଥିଲେ ଓଳଗି । ୧ ।
ଚିତ୍ତେ ଚିନ୍ତି ତୋ ରୂପ ତୋ ନାମ କରି ଜପ
ନିଭୃତ ନିକୁଞ୍ଜରେ ଅଛନ୍ତି ଜଗି । ୨ ।
କି ବୋଲି କହିବି ମୁଁ ବିବେକରେ ଜାଣିମୁ
ସାଜ ସଜ ଏ ବେଶ ହୁଅ ଉଲାଗି । ୩ ।
ମସୃଣ ସୁଘୃଣ୍ଟି ତନୁରେ ବିଭୂତିଟି
ବାରଣ ହେଉ ନାହିଁ ଶିରୀଷ ଅଙ୍ଗୀ । ୪ ।
ଦେଇଛନ୍ତି ଶ୍ରୀକର ଲେଖ ଦେଖ ସତ୍ୱର
ଉଠ ମଠ ନ କର ପରାଣ ସଙ୍ଗୀ । ୫ ।
ଗୋପାଳକୃଷ୍ଣ ବୋଲେ କୃଷ୍ଣ ପାଶେ ମିଳିଲେ
ପ୍ରିୟ କଲାର ଦୋଷ ପଛକୁ ଫିଙ୍ଗି । ୬ ।