(ରାମକୃଷ୍ଣ କବିଚନ୍ଦ୍ର— ରାଗ ପୁନ୍ନାଗ, ତାଳ ସରିମାନ)
ନନ୍ଦସୁତକୁ ଚାହାଁ
ଇନ୍ଦ୍ରର ନୀଳମଣି ପ୍ରଶଂସୁ ଯାହା ।
ସରସ ସରୋରୁହ ଶରଦ ଶଶୀ ସ୍ନେହ
ସାରଇ ମନୁ ଶୋଭା ସାର ଶ୍ରୀମୁଖ ଆଭା । ଘୋଷା ।
ତୁଳ ଚନ୍ଦ୍ରକ ମୂଳରୁ ଏ ବକୁଳ ମାଳତୀ କୁଳରୁଚିକି
ବହୁଳରେ ଅତି ଠୂଳ ସୌରଭ ତୁଲ ନାହିଁ ଅତୁଳ ସତ ସହି । ୧ ।
ପ୍ରାତ ଅରୁଣର ତାତ କି ଅଧର
ଜାତ ହେଲା ଯହୁଁ ଖ୍ୟାତ ସୁରୁଚିର
ପାତଳ ହିଙ୍ଗଳ ପାତଳକୁ ନୋହେ
ତାତ ଦେଖି ତନୁ କାତରକୁ ବହେ । ୨ ।
ନାରିଚୟ କୁଳବାରି ଦେଇ ନ
ପଚାରି ହେବେ ପରିଚାରୀ ଏ ବକାରି
ଛବିକି ତ ଚାରି ଦଶ ପୁରେ
ପାରିବ କେ କହି ହାରିଯିବ ବିହି । ୩ ।
ଶ୍ୟାମ ନବଘନ କାମ ମଦହର
ବାମନେତ୍ରୀର କାମଦ ରୁଚିର
ଧାମ ଛବି ଅନୁପାମ ଏ ଅଭିରାମ
ଏ ଦୀନ ରାମକୃଷ୍ଣର । ୪ ।