(ବନମାଳୀ— ରାଗ ଛାୟାନଟ, ତାଳ ଯତି)
ନାଶିଲା ବିବେକ ଆଜ ବ୍ରଜରାଜ ପୁଅ ଗୋ
କି ମନ୍ତର ଜାଣି ଚାହେଁ କମ୍ପଇ ହୃଦୟ ଗୋ । ଘୋଷା ।
ଶ୍ୟାମ ପଦ ନଖ କାନ୍ତି ଶଶୀ ଠାରେ ନାହିଁ ଗୋ
ସେ ତ କଳଙ୍କରେ ପୂର୍ଣ୍ଣ ଏଥି ଦୋଷ କାହିଁ ଗୋ
(ପଡ଼ି)
କି ସୁନ୍ଦର ତହିଁ ନୂପୁର ରବ
କର୍ଣ୍ଣେ ଶୁଣି ଧୈର୍ଯ୍ୟ ନ ରହେ ଲବ
ଖରବ କଲା କାମିନୀ ଗରବ
ଦେବ କି ସେ ଦେବ ସର୍ବ ଦରବ । ୧ ।
ରକତ କଦଳୀ ପରାୟେ ଚାରୁ ଉରୁ ଗୋ
ମତ୍ତ କେଶରୀ କଟିରୁ ମଝା ଅତି ସରୁ ଗୋ
(ପଡ଼ି)
କି ସୁନ୍ଦର ତହିଁ ପୀତ ଦୂକୁଳ
କନକ କିଙ୍କିଣୀ ହୋଇଛି ମେଳ
ସତୀ କାଳ ଏ ମଦନ ଗୋପାଳ
ଅଳପ ଅନାଇ ହେଲି ତରଳ । ୨ ।
ନୀଳମଣି କବାଟ ପରାୟେ ତାର ହୃଦ ଗୋ
ଅନାଇଲେ ସଜନୀ ନ ଜାଣେ ପରିବାଦ ଗୋ
(ପଡ଼ି)
କଣ୍ଠ ମଦନ ଜୟଦର ପରା
ଖଞ୍ଜିଥାଇ ତହିଁ ରତନ ହାରା
ବଦନ ଚନ୍ଦ୍ର ତା ଦୁଃଖ ପାଶୋରା
ଗୋକୁଳ ରମଣୀ ମହତ ସରା । ୩ ।
ସ୍ମର ଧନୁ ଭୂରୁ ନାଚୁଥାଇ କି ତରଙ୍ଗେ ଗୋ
କାମ ଛୁରୀ ପରି ନେତ୍ର ବାଜିଯାଏ ଅଙ୍ଗେ ଗୋ
(ପଡ଼ି)
ଶିରେ ଶିଖୀ ଶିଖଣ୍ଡୀ ଘରବୁଡ଼ା
ଗୋକୁଳ ମାନସ ମୋହନ ଚୂଡ଼ା
ବନମାଳୀର ନାହିଁ ସୁଖ ଲୋଡ଼ା
ସେହି ତନୁ ମନୁ ହୁଏ କି ଛଡ଼ା । ୪ ।