(ବନମାଳୀ— ରାଗ କଲ୍ୟାଣ, ତାଳ ଏକତାଳି)
ନିରେଖି ଚାହାଁରେ ସଖୀ ସେ କଦମ୍ବ ମୂଳକୁ
ସଂସାର ସାର ସୁଷମା ହୋଇବ କି ତୁଳକୁ । ଘୋଷା ।
ଶିରେ ବାଙ୍କଚୂଳ ଶିଖୀପୁଚ୍ଛ ଚଳାଚଳକୁ
ବିଲୋକିଲେ ସତୀଧୃତି ରହିବ କି କାଳକୁ । ୧ ।
ହୃଦେ ବନମାଳ କର୍ଣ୍ଣେ ମକର କୁଣ୍ଡଳକୁ
ହସାମିଶା ଭାଷା ଭଙ୍ଗୀ ହୃଦାଞ୍ଚଳ ତଳକୁ । ୨ ।
କଟୀରେ ପୀତ ଅମ୍ବର କ୍ଷୁଦ୍ର ଘଣ୍ଟିମାଳାକୁ
ମଞ୍ଜୁ ମଞ୍ଜରୀ ଚରଣେ ହୋଇଅଛି ମେଳକୁ । ୩ ।
ତ୍ରିତାପେ ତାପିତ ହୋଇ ସଦା ଭବଜଳକୁ
ଦୀନ ବନମାଳୀ ହେଜୁଥାଇ ପଦତଳକୁ । ୪ ।