(ଗୋପାଳକୃଷ୍ଣ— ରାଗ ଶୋକବରାଡ଼ି, ତାଳ ମଠା)
ପଡ଼ି ଭ୍ରମରେ
ବୁଡ଼ିଗଲୁ ଶ୍ୟାମ ପ୍ରେମରେ । ଘୋଷା ।
ବରଜ ପ୍ରାଙ୍ଗଣେ ସଖୀ
ବରହୀ ନୃତ୍ୟ ନିରେଖି
ବରତନୁ ଥରୁଥିଲୁ
ଧଇର୍ଯ୍ୟେ ଉପେକ୍ଷି ରାଧେ । ୧ ।
ପବିତ୍ରାଙ୍ଗୀ ସ୍ୱପନରେ
କି ବିଲୋକିଲୁ ରାତିରେ
ଭାବି ଶୋକ କରୁଥିଲୁ
ଧକି ଧକି ଧୀରେ ରାଧେ । ୨ ।
ତ୍ରପାଭରେ ନିମଜ୍ଜିଲେ
କୃପାମୟୀ ଆଳି କୋଳେ
ଗୋପାଳକୃଷ୍ଣ ସେବେ ସେ
ଅମଳ ପଦ କମଳେ । ୩ ।