(ଗୋପାଳକୃଷ୍ଣ— ରାଗ ତୋଡ଼ି, ତାଳ ତ୍ରିପଟା)
ପୀୟୂଷ ଭାଷୀ ଭାସିଯାଉଛି ରଖରେ ଆସି । ଘୋଷା ।
ମନମଥ ତଟିନୀରେ ପଡ଼ିଛି ଅଗାଧ ନୀରେ
ରଖ କୀର୍ତ୍ତି ଅବନୀରେ ଉଦ୍ଧରି କୁମୁଦହାସୀ । ୧ ।
ବନ୍ଧୁ ମୁଁ ଯାଚକ ପରି ମାଗୁଛି ବାସ ପ୍ରସାରି
ତ୍ରାଣ କର ଶମ୍ବରାରି କୁନ୍ଦୀର ସୁଖ ସୁବେଶି । ୨ ।
ସ୍ତନ ସ୍ୱର୍ଣ୍ଣ କୁମ୍ଭ ଭେଳା ଅବଲମ୍ବ ଦେଇ ବାଳା
କୋଳ କୂଳକୁ ସୁଶୀଳା ଲଗାରେ ଦୁଃଖ ବିନାଶି । ୩ ।
ଅଖିଳ ଅବନୀ ଠରି ସଖୀକି ଡାକିଲା ପରି
ଅଗଣାକୁ ବିଜେ କର ଦେଖାରେ ଶ୍ରୀମୁଖ ଶଶୀ । ୪ ।
ଗୋପାଳକୃଷ୍ଣ ନ ସରୁ କରୁଣା ଦୃଷ୍ଟି ପ୍ରସରୁ
ଅନଙ୍ଗ କ୍ଳେଶ ନିଃସରୁ ପ୍ରଫୁଲ୍ଲ ପଙ୍କଜବାସୀ । ୫ ।