(କବିସୂର୍ଯ୍ୟ— ରାଗ କଲ୍ୟାଣ, ତାଳ ଏକତାଳି)
ପ୍ରାଣସଜନୀ ଘେନ ରାଣକୁ ଗୋ
ଆଣ ଯାଇ କିଶୋର ରାଣକୁ ଗୋ
ଶାଣ ଦେଇ ମଦନ ବାଣଗଣରେ ପୁଣ
ଜାଣ ନେବଟି ଆଜ ପ୍ରାଣକୁ ଗୋ । ଘୋଷା ।
ଅକଳଙ୍କ ଶରଦ ପରବ ବିଧୁ ମଦ
ଦଳନ ମୁଖ ଦରପଣକୁ ଗୋ
ଦେଖାଇ ଥରେ ମୋତେ ଅଧରୁ ମଧୁ ଯେତେ
ଚଖାଇ କରା ପରିତ୍ରାଣକୁ ଗୋ । ୧ ।
ତାହାରି ଦୟାବଳ ମଣିମୟ ମଞ୍ଜୁଳ
ସ୍ତମ୍ଭ ଭୁଜ ପରିରମ୍ଭଣକୁ ଗୋ
ଟାକି ରହିଛି ମନ ଜାଳିଣ ଅପଘନ
କରିବି ଚୁମ୍ବ ବରଷଣକୁ ଗୋ । ୨ ।
ଦ୍ରାକ୍ଷା ମଧୁର ମଧୁ ସାକ୍ଷାତେ ଚାଟୁଗିର
ବିଖ୍ୟାତ କରି ମୋ ଶ୍ରବଣକୁ ଗୋ
ଭିକ୍ଷା କରେ ସୁରତ ଲକ୍ଷ ବିଧି ସବତ
କକ୍ଷା କି ହେବ ସତୀପଣକୁ ଗୋ । ୩ ।
ମଦନ ଅମଳରେ ରଦନକ କ୍ଷତରେ
କଦନ ଯେତେ ଦେଇ ଟାଣକୁ ଗୋ
ଭାଙ୍ଗିବା ଯାଏ ସହି ଇଙ୍ଗିତେ ଦେବି ନାହିଁ
ନାହିଁ ଭଙ୍ଗୀର ଆଚରଣକୁ ଗୋ । ୪ ।
ଅଭିନବ ମୁଦିର ଶୋଭାକୁ ତ ନଜର
ଗଭୀର ସେ ହଂସର ସ୍ନାନକୁ ଗୋ
କରିବା କାଳେ ଲଜ୍ଜା ବରଜି ଦେଇ ମଜ୍ଜା
ହେଲାଣି ତ ମଜ୍ଜିବା ଜଣକୁ ଗୋ । ୫ ।
ଚାରୁ ଚନ୍ଦ୍ରକଚୂଳ ଶୋଭା ନେତ୍ରଯୁଗଳ
ଚାହିଁ କଲି ଚଣ୍ଡୀ ବରଣକୁ ଗୋ
ଅନୁକମ୍ପା କି ହେବ ନାହିଁ କି ଜଗଦ୍ଦେବ
ପିତଳର ଗୁଣାର ଶୁଣାକୁ ଗୋ । ୬ ।