(ବନମାଳୀ— ରାଗ କାମୋଦୀ, ତାଳ ଏକତାଳି)
ପ୍ରାଣ ସଜନୀରେ ତ୍ରିଭୁବନ ମୋହଇ । ଘୋଷା ।
ମଦନ ଗର୍ବଦଳା ଗଦ ଏ ନନ୍ଦବଳା
ବଦନ ଚନ୍ଦ୍ର କଳା ସଜନୀରେ । ୧ ।
ଲୋକଲାଜକୁ ମୋର ଶୋକ ନାହିଁ କିଶୋର
ଲୋକ ନ ମଣେ ସାର ସଜନୀରେ । ୨ ।
ଛତ୍ରୀବର୍ତ୍ତୀ ସୂନୁ ଯେ ମତି ନ କରିବ ଯେ
ସତୀ ସିନା ସେ ବ୍ରଜେ ସଜନୀରେ । ୩ ।
ମୋହନ ରୂପ ଚିତ୍ତ ମୋହ କଲା ସଙ୍ଗାତ
ତା ହସ୍ତରେ ଆୟତ୍ତ ସଜନୀରେ । ୪ ।
ବନମାଳୀ କହଇ ଜନମେ ରାଗ ନାହିଁ
ଧନ ତାହାର ଏହି ସଜନୀରେ । ୫ ।