(କବିସୂର୍ଯ୍ୟ— ରାଗ ସିନ୍ଧୁକାମୋଦୀ)
ପ୍ରାଣବନ୍ଧୁ କର ଗରବ କାହିଁକି ରେ
ପରବ ଚନ୍ଦ୍ରମା ଚିତ୍ତେ
ବଳିଲାନି କି ତୋ ଝଳି ଲାବଣ୍ୟାଦି
ଗୁଣଗଣରୁ କିଞ୍ଚିତେ । ଘୋଷା ।
ଜଳଧିର ପଙ୍କ କି ଅବା କଳଙ୍କ
ଖଣ୍ଡେ ଶିରୀ କରି ଫୁଲେ
ନାହିଁକି ନଜର ରସାଳସା ତୋର
ନେତ୍ର ଇନ୍ଦୀବର ଫୁଲେ । ୧ ।
ମୋ ସୁଧା ତୁଳରେ ବସୁଧା ତଳରେ
କେ ଅଛି ବୋଲି ଯା ଭାବେ
କର୍ଣ୍ଣେ ନାହିଁ ଶୁଣି ତୋ ମୃଦୁଳ
ବାଣୀବିଳାସକୁ ପରା ଲବେ । ୨ ।
କରିଛି କି ମନେ ଏ ତିନି ଭୁବନେ
ମୁଁ ଏକା ରଜନୀକର
ଫୁଲଶେଯ ରତେ ତୋ ଚରଣ କେତେ
ଲାଗଇ ରଜନିକର । ୩ ।
ଜଗତୀରେ ଏକା ମୋହରି ଚନ୍ଦ୍ରିକା
ରୁଚିର ବୋଲି ଯେ ବୋଲେ
କୁନ୍ଦବିକାଶକୁ ନିନ୍ଦିବା ହାସକୁ
ଖେଳାଇ ଦେବୁଟି ଗେଲେ । ୪ ।
ଭାବୁଅଛି ଚିତ୍ତେ ଭଜିଛନ୍ତି ମୋତେ
ଅନେକ ନକ୍ଷତ୍ରମାନେ
ଶ୍ରୀହସ୍ତ ଚରଣ କଞ୍ଜ ନଖଗଣ
ଶୋଭା ଚାହିଁ ନାହିଁ ଦିନେ । ୫ ।
ଟେକିଦିଅ ମୁଖ ଏ ଶୀତମୟୂଖ
ଜିତ ହୋଇ ମରୁ ଚଳି
ନିତି ନିଧୁବନେ ଅନେକ ବିଧାନେ
କେତେ ଚନ୍ଦ୍ର ଥାଇ ଚାଳି । ୬ ।
ଚକୋର ଏହାର ବଡ଼ ପରିଚାର
ତୁ ସେବା ଦେଇଛୁ ମୋତେ
ଅଷ୍ଟଦୁର୍ଗ ଧରାମଣ୍ଡଳୀ ଅମରା
-ବତୀ ପତି ବୋଲେ ଗୀତେ । ୭ ।