(ଗୋପାଳକୃଷ୍ଣ— ରାଗ ଚକ୍ରବାକ, ତାଳ ଯତି)
ପ୍ରେମ ଚିନ୍ତାମଣିକି କେ ରୁଷାଇଲା ରେ
କ୍ରମରେ ଏଣିକି ଭରସାଇଲା ରେ । ଘୋଷା ।
ଯେ କଲା ଏ ବିଚାର କି ଶତ୍ରୁ ମୁଁ ତାହାର
ଭଙ୍ଗାଇ ମୋ ଆଶ ଲଭିବ କି ଯଶ
କ୍ଷୀରରେ ଖାର କେ ମିଶାଇଲା ରେ । ୧ ।
ପୁରାତନ ବେଶରେ ବସି କେଳିବାସରେ
ଗୁନ୍ଥୁଥିଲା ହାର ଶୁଣି ମୋର ଗିର
ନେତ୍ରୁ ନୀର ବରଷାଇଲା ରେ । ୨ ।
ସେହି ଦିନ ମାତର ମୁଁ ତାକୁ ଦେଖିବାର
ହେଲି କେଡ଼େ ଦୋଷୀ ଲହୁଲି ବୟସୀ
ମୁଖ ଆଉ ନ ଦିଶାଇଲା ରେ । ୩ ।
ଦୁଃଖ ଶୁଣି ମୋ ବ୍ୟଥା ଲଭି ବା ଥାଉ କଥା
ପ୍ରସଙ୍ଗରେ ହେଲେ ମୋର ନାମ ଥରେ
ବଦନରେ ନ ବସାଇଲା ରେ । ୪ ।
ଗୋପାଳକୃଷ୍ଣ କହେ ମୂରୁଛିବାର ନୁହେଁ
କାହାକୁ ବୋଲିବି କି କରି ଚାହିଁବି
ବନ୍ଧୁ ଭଗାରି ହସାଇଲା ରେ । ୫ ।