(ବନମାଳୀ— ଖେମଟା)
ପ୍ରୀତି ଯେଡ଼ିକି ସୁଆଦ
ତେଡ଼ିକି ତା ପରମାଦ । ଘୋଷା ।
ଆଖି ଆଖି ମେଳ ହୋଇବା କାଳରେ
ସେ ସୁଖରେ ଥିଲେ ମଜ୍ଜି
ଆନକୁ ଅଳପ କରି ଅନାଇଁଲେ
ଜ୍ଞାନ ଯାଉଥାଏ ହଜି । ୧ ।
ବେନି ଅନୁରୂପେ ବଚନ କହିଲେ
ଦୁହିଁଙ୍କର ବଡ଼ ସୁଖ
କଥା ପଦକ ଯା ବୃଥା ହେଲା ବୋଲି
ମରଣ ପରମସୁଖ । ୨ ।
ମନ୍ଦେ ମନ୍ଦେ ହସି କହୁଥିଲେ କଥା
ଲଭଇ କୋଟି ସମ୍ପତ୍ତି
ଲପନ ମଳିନ ଦେଖିଲେ ମଦନ
ଛାତିକି ମାରଇ କାତି । ୩ ।
ସଂସାର ଭିତରେ ଯେତେ ସାରାସାର
ଅଙ୍ଗେ ଥିଲା ପରି ମଣେ
ବନମାଳୀ ବୋଲେ ଏହା ଛଦ୍ମ ନୋହେଁ
ଏକା ଅନୁଭବୀ ଜାଣେ । ୪ ।