(କବିସୂର୍ଯ୍ୟ— ରାଗ କୁମ୍ଭକାମୋଦୀ, ତାଳ ଆଦିତାଳ)
ପ୍ରିୟସଖି କରିବି କି ବୁଦ୍ଧି ଗୋ
ଗଲିନି ମୁଁ ଲାଜେ ସଢ଼ି
କେଉଁ ଗୁଣେ ରସି ନିକୁଞ୍ଜବିଳାସୀ
ଅଛନ୍ତି ମୋ ଠାରେ ଜଡ଼ି । ଘୋଷା ।
ମୁଁ ତ ଯଉବନ ମଦରେ ଗୁମାନ
ମନ୍ଥର ଚାଲି ନ ଜାଣେ
ମୋତେ ଜଳକେଳି ଅଳସୀ ମରାଳୀ
ଗମନା ବୋଲନ୍ତି କେଣେ । ୧ ।
ବ୍ରଜେ କେତେ ବାମା ନାହାନ୍ତି ସୁଷମା
ସମ୍ଭାରେ ରମ୍ଭାରୁ ବଳି
ସେ ଶିଖଣ୍ଡଚୂଳ ନୟନ ଅଞ୍ଚଳ
ଆନେ ତ ନ କଲା କେଳି । ୨ ।
ମୁଁ ଚାହିଁ ନ ଜାଣେ ଲବେ ନେତ୍ର କୋଣେ
ନଚାଇ ଭୂରୁକୁ ଗେଲେ
ତେବେ ପୀତପଟ ନଟ ଖଞ୍ଜରୀଟ
ନୟନା ମୋ ନାମ ଦେଲେ । ୩ ।
ମନ ଜାଣିବାକୁ ଯେଉଁ ଦିନ ଭଲେ
ନ ମଜାଇ କଣ୍ଠ ଭୂଷା
ବିଗୁଣ ନ ଘେନି ଦ୍ୱିଗୁଣ ସେ ଦିନ
କରନ୍ତି ଶୋଭା ପ୍ରଶଂସା । ୪ ।
ଏଥୁଁ ଅବା ଖେଦ ହେଉଛି କି ମୋଦ
ନ ଜାଣନ୍ତି ଆନ ସଖୀ
କ୍ଷିତିପତି ବୃନ୍ଦ ମୁକୁଟ ମୁକୁନ୍ଦ
ଦେବ କେବଳ ମୋ ସାକ୍ଷୀ । ୫ ।