(ଗୋପାଳକୃଷ୍ଣ— ରାଗ ମାଳବଗୌଡ଼ା, ତାଳ ଯତି)
ରାଧା ପରି ରାଧା ସିନା ରେ ସଙ୍ଗିନୀ
ସ୍ତିରୀ ମାତରକ ଅଛନ୍ତି ଯେତେକ
ସର୍ବେ ପିତ୍ତଳ ସେ ସୁନା । ଘୋଷା ।
ଦଳିତାଞ୍ଜନକୁ ହସୁଛି ଯା କାନ୍ତି
ସେ ଶ୍ୟାମ ପାଶରେ ଥିଲେ
ହରିତାଳ ବୋଳି ହେଲା ପରି ଦିଶେ
କାନ୍ତିରେ କେ ତାହା ତୁଲେ । ୧ ।
କଳାକର ତ କଳାକରେ ରହିଲା
ମୁଖକୁ ନୋହି ତୁଳନା
ତ୍ରପାରେ ତପ କରୁଛି ଗଙ୍ଗା ତଟେ
ହର ଜଟା ବନେ ଅନା । ୨ ।
ଆଖିକି ତାର ଅନାଇ ଦେଇ ମୁଖ
ବୁଲାଇ ଦେଲେ ଏଣିକି
ଦଶ ଦିଶ ଯାକ ନୀଳୋତ୍ପଳମୟ
ଦିଶୁଛି ହେବା କଥା କି । ୩ ।
ରାତିଯାକ ଜାତି ପାଖୁଡ଼ା ଶେଯରେ
ପହୁଡ଼ି ଥାଉଛି ଲୋଟି
ମଉଳୁ ନାହିଁ କିଞ୍ଚିତେ ହେଲେ ଅଙ୍ଗେ
ଚିହ୍ନ ବସି ଦିଶେ ଫୁଟି । ୪ ।
ଶତ କୋଟି ଗୋପୀ କାଲି ବୋଲୁଥିଲେ
ଶୁଣୁଥିଲେ ତ ରାସରେ
ଆମ୍ଭ ନେତ୍ର ପୁଣ୍ୟ ଫଳ ରାଧା ଥାଉ
ସଦା ଶ୍ରୀକୃଷ୍ଣ କୋଳରେ । ୫ ।
କହିଥିଲେ ଗର୍ଗ ପୂର୍ବେ ପୂର୍ଣ୍ଣବ୍ରହ୍ମ
ସନାତନ ବୋଲି ଯାକୁ
ସେ ବ୍ରଜବିଧୁ ଏ କେମନ୍ତ ନୋହିଲେ
ଥିଲା ଅଧୀନ ହେବାକୁ । ୬ ।
ଗୋପ ବଧୁଙ୍କ ସଂଳାପଯାକ ଶୁଣି
ଗୋପାଳକୃଷ୍ଣ ଚଳିଲା
ସ୍ୱେଶ୍ୱରୀଙ୍କ ଅପହୁଡ଼ କାଳ ଜାଣି
ପଦାମ୍ଭୋଜରେ ସେବିଲା । ୭ ।