(କବିସୂର୍ଯ୍ୟ— ରାଗ ଶଙ୍କରାଭରଣ)
ରାଧେ ରସିକାରାଜ
ତୋ ପ୍ରବୀଣାପଣ ଜଣାଯିବ ଆଜ
ନନ୍ଦର ତନୟ ପୁରନ୍ଦର ମଣି
ମକରନ୍ଦଲିଟ ତୁ ଅରବିନ୍ଦଟି ସୁନ୍ଦର । ଘୋଷା ।
ହେବା ଦିନୁ ସ୍ତନ ପୀନ କରକଶ
ମଦଗତେ ବସୁନ୍ଧରା
ମଣ୍ଡଳୀକି ମଣ୍ଡୁ ପରା
ଏବେ ଧରାଧରଧରା କରେ କସ । ୧ ।
ଭିନ୍ନ ସଖୀ ଦେହେ ସ୍ନେହେ ଜଡ଼ିବାର
ଭିନ୍ନ ସେ ଶିଖଣ୍ଡଚୂଳ
ମରକତ ଅରଗଳ
ବଳିଷ୍ଠ ବାହୁ ଯୁଗଳ ଭିଡ଼ିବାର । ୨ ।
ଆମ୍ଭେ ସିନା ପ୍ରଭୁ ବୋଲି କରୁ ଭୀତି
ତୁ ଯାହା କଲେ ତା ସହୁ
କ୍ଷମା କରିବେ ସେ କାହୁଁ
ବାମାଗର୍ବ ଚନ୍ଦ୍ର ରାହୁ କଳାହାତୀ । ୩ ।
କି ହେବ ମନ୍ଦିରେ ଭୂରୁ ନଚାଇଲେ
ଯଶ ହେବ ସେହି କାଳେ
ନଟ ମୁକୁଟକୁ କୋଳେ
ନଚାଇ ସେ ରସେ ବଳେ ରୁଚାଇଲେ । ୪ ।
ମୃଦୁ ତନୁ ବୋଲି କେ ଛାଡ଼ିବ ଆଉ
ଅଙ୍କୁ ଯିବା ଯାଏ ଶାନ୍ତ
ହୋଇବ ନାହିଁ ଯେ ଦାନ୍ତ
କରରୁହ ପ୍ରାନ୍ତକୁନ୍ତ ଖେଳା ଦାଉ । ୫ ।
ବୋଲେ ଅଷ୍ଟଦୁର୍ଗନାଥ ଜଗଦ୍ଦେବ
ସଖି ପରିହାସ ଶୁଣି
ଲାଜେ ହସି ଠାକୁରାଣୀ
ମନେ କଲେ ହେଲେ ପୁଣି ବୁଝାଯିବ । ୬ ।