(ଉପେନ୍ଦ୍ର ଭଞ୍ଜ— ରାଗ କେଦାର କାମୋଦୀ, ତାଳ ତ୍ରିପଟା)
ରମଣୀବର
ଆସୁଛି କରି ଭଙ୍ଗୀରେ । ଘୋଷା ।
ରାଜୀବାକ୍ଷୀ ଦର ଦରହାସକୁ କରି
ରହି ରହି ହଂସ ପରି ଚାଲଇ ଥିରି
(ପଡ଼ି)
ରମଣୀମଣି ହୀରା ଋଷି ମୋହିବ ପରା
ରୂପକୁ ସମ ତାରାପତି ନୋହିବ ପରା
ରଖିଛି ହାସେ ସୁଧା ସୁଧାକରରୁ ତୋରା
ରସିକ ପୁଂସ ଧୈର୍ଯ୍ୟ ଦେଲା ଭାଙ୍ଗିରେ । ୧ ।
ସରୁକଟି ପରେ ଚାରୁ କନକହାର
ଶମ୍ଭୁ ଶିରୁଁ ବହୁଛି କି ଜାହ୍ନବୀଧାର
(ପଡ଼ି)
ସରସିଜଲପନୀ ସାଜିଛି ବେଶ ଧନୀ
ସରସେ ଫୁଟି ଦିଶେ ଶମ୍ଭୁ ଊରଜ ବେନି
ସହି ନୋହେ ଅନଙ୍ଗ ଭୁରୂଭଙ୍ଗୀରେ । ୨ ।
ପୁରନ୍ଦର ପୁରେ ବାମା ଏହା ପରିରେ
ପସନ୍ଦ ନୋହିବେ ସ୍ୱର୍ଗେ ଏହା ସରିରେ
(ପଡ଼ି)
ପାନବୋଳା ଅଧର ରଙ୍ଗଜବା ନିନ୍ଦଇ
ପରିଣତରେ ବିମ୍ବ ଥିଲା ପ୍ରାୟ ଦିଶଇ
ପଲ୍ଲବାଧରୀ ଚିତ୍ତ ନେଲା ମୋର ଭୁଲାଇ
ପ୍ରୀତି ତାରଣେ ପ୍ରୀତି କରୁ ସଙ୍ଗିରେ । ୩ ।
ଚକ୍ରସ୍ତନୀ ବକ୍ରନଥ ଝୁଲାଇ କରି
ଚାହିଁଲା ନାସା ଫୁଲାଇ ଇଙ୍ଗିତେ ଠାରି
(ପଡ଼ି)
ଚିର ପ୍ରବାସୀ ମରା ଚାତୁର୍ଯ୍ୟ ନେତ୍ରଠରା
ଚିବୁକ ଧରିବାକୁ ମୋ ମନ ହୁଏ ପରା
ଚରଣେ ନୂପୁର ତା ସ୍ୱନ ହଂସକ ପରା
ଚାଲିବା ଗଜଗତି ଶିରୀଷାଙ୍ଗୀରେ । ୪ ।
କନକ ଗଉରୀ ନେତ୍ର ପ୍ରୀତିକୁନ୍ତରେ
କିପରି ପ୍ରହାର କଲା ମୋର ବକ୍ଷରେ
(ପଡ଼ି)
କିଶୋରୀ ରତନର କଜ୍ଜ୍ୱଳ ଲାଞ୍ଜୀଗାର
କଲା ବକ୍ଷେ ମେଳନ କୁନ୍ତମୁନ ପ୍ରକାର
କିପରି ବଞ୍ଚିବି ମୁଁ ଯିବି କାହା ପାଶର
ରସପଞ୍ଚକେ ଉପଇନ୍ଦ୍ର ଭାଷିରେ । ୫ ।